ଶିକ୍ଷକ ବଦଳିରେ ଅବହେଳା ପଡ଼ିଲା ମହଙ୍ଗା। ୭୯ ବିଇଓଙ୍କୁ କାରଣ ଦର୍ଶାଅ ନୋଟିସ। ରାଜ୍ୟରେ ପ୍ରାଥମିକ ଶିକ୍ଷକ ବଦଳି ପ୍ରକ୍ରିୟାକୁ ନେଇ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅନଲାଇନ୍ ବଦଳି ଆବେଦନଗୁଡ଼ିକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖକୁ ପଠାଇନଥିବା ଅଭିଯୋଗରେ ରାଜ୍ୟର ୭୯ ଜଣ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ । ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଚିଠି ଅନୁସାରେ, ଏଲିମେଣ୍ଟାରୀ ଶିକ୍ଷକମାନଙ୍କ ବଦଳି ଆବେଦନ ପଠାଇବା ପାଇଁ ୧୦ ମେ ୨୦୨୬ ତାରିଖ ଶେଷ ସମୟସୀମା ରହିଥିଲା । କିନ୍ତୁ ଅନେକ ବିଇଓ ଏହାକୁ ଅବହେଳା କରି ଆବେଦନଗୁଡ଼ିକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଫରୱାର୍ଡ କରିନଥିବା ଜଣାପଡ଼ିଛି । ଏହାକୁ ଗୁରୁତର ପ୍ରଶାସନିକ ଅନୁଶାସନହୀନତା ଭାବେ ନେଇ ସମ୍ପୃକ୍ତ ଅଧିକାରୀମାନଙ୍କୁ ତିନି ଦିନ ମଧ୍ୟରେ ଲିଖିତ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ଚିଠିରେ ସ୍ପଷ୍ଟ କରାଯାଇଛି ଯେ, ସନ୍ତୋଷଜନକ ଉତ୍ତର ନମିଳିଲେ ସମ୍ପୃକ୍ତ ବିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଉପଯୁକ୍ତ ପଦକ୍ଷେପ ନିଆଯିବ। ନୋଟିସ ପାଇଥିବା ବିଇଓମାନଙ୍କ ମଧ୍ୟରେ ଗଞ୍ଜାମ, ଗଜପତି, କୋରାପୁଟ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବଲାଙ୍ଗୀର, ନୟାଗଡ଼, ଖୋର୍ଦ୍ଧା ଓ ରାୟଗଡ଼ା ସହ ବିଭିନ୍ନ ଜିଲ୍ଲାର ଅଧିକାରୀ ଅଛନ୍ତି। ବିଶେଷକରି ଗଞ୍ଜାମ, ଗଜପତି ଓ କେନ୍ଦ୍ରାପଡ଼ା ଜିଲ୍ଲାର ଅନେକ ବ୍ଲକ୍ ରେ ବଦଳି ଆବେଦନ ଲମ୍ବିଥିବା ଜଣାପଡ଼ିଛି।
