ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆଲୋଚନା ଚକ୍ର: ‘ମୋ ସ୍ବପ୍ନର ନୟାଗଡ଼’

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲାର ସାମଗ୍ରିକ ବିକାଶ ଓ ପ୍ରଗତି ପାଇଁ ଏକ ସକାରାତ୍ମକ ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ସାମ୍ବାଦିକ ସଂଘ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ କେସି କ୍ଳବ ସଭାଗୃହଠାରେ ସଂଘ ପକ୍ଷରୁ ‘ମୋ ସ୍ୱପ୍ନର ନୟାଗଡ଼’ ଶୀର୍ଷକ ଏକ ବୁଦ୍ଧିଜୀବୀ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ବର୍ଗର ଜନସାଧାରଣ ଓ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇ ଜିଲ୍ଲାର ଅଭିବୃଦ୍ଧି ପାଇଁ ନିଜ ନିଜର ମୂଲ୍ୟବାନ ମତାମତ ଉପସ୍ଥାପନ କରିଥିଲେ।
ଆଲୋଚନା ସମୟରେ ଉପସ୍ଥିତ ବ୍ୟକ୍ତିମାନେ ନୟାଗଡ଼ ଜିଲ୍ଲାର ପ୍ରମୁଖ ସମସ୍ୟା, ଯେପରିକି ପିଇବା ପାଣି, ସ୍ୱାସ୍ଥ୍ୟ, କୃଷି, ଶିକ୍ଷା, ଶିଳ୍ପ, ଜଳସେଚନ ଓ ପର୍ଯ୍ୟଟନର ବିକାଶ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ବିଶେଷ କରି ଦୀର୍ଘ ଦିନ ହେବ ବନ୍ଦ ହୋଇ ପଡ଼ିରହିଥିବା ନୟାଗଡ଼ ଚିନିକଳକୁ ପୁନଃ ଚାଲୁ କରିବା, ପଦ୍ମାବତୀ ଠାରେ ମହାନଦୀ ଉପରେ ବ୍ୟାରେଜ୍‌ ନିର୍ମାଣ ଏବଂ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ଯଥା ଶୀଘ୍ର ସମ୍ପୂର୍ଣ୍ଣ କରି କୃଷି ଓ ପିଇବା ପାଣିର ସମସ୍ୟା ଦୂର କରିବା,କଣ୍ଟିଲୋ ଏବଂ ଖଣ୍ଡପଡାକୁ ରେଳପଥ ନିର୍ମାଣ ଆରମ୍ଭ କରିବା, ଜିଲ୍ଲାରେ ପର୍ଯ୍ୟାପ୍ତ ବାଉଁଶ ଜଙ୍ଗଲ ଥିବାରୁ ଏକ କାଗଜ କଳ ସ୍ଥାପନ କରିବା, ଏବଂ ନୟାଗଡ଼ରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ବୈଠକରେ ଦୃଢ଼ ଦାବି ହୋଇଥିଲା। ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ତୁରନ୍ତ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦେବା ସହ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ବିକାଶ ଓ ସେଗୁଡ଼ିକୁ ସରକାରୀ ସ୍ତରରେ ବିଧିବଦ୍ଧ ମାନ୍ୟତା ପ୍ରଦାନ କରିବାକୁ ମଧ୍ୟ ସଦସ୍ୟମାନେ ମତ ପୋଷଣ କରିଥିଲେ।


ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୌର ପରିଷଦ ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ବିଶିଷ୍ଟ ଆଇନଜୀବୀ ପ୍ରତାପ ନନ୍ଦ, ଓକିଲ ସଂଘର ପୂର୍ବତନ ସଭାପତି ଅମୀୟ ପଟ୍ଟନାୟକ, ବିଜେପି ନେତା ସନ୍ତୋଷ ପ୍ରଧାନ, ଚନ୍ଦ୍ରବିଜୟୀ ମିଶ୍ର, କମ୍ରେଡ ବିଶ୍ୱନାଥ ମହାପାତ୍ର, ଅବସରପ୍ରାପ୍ତ ଅଧ୍ୟକ୍ଷ ଉମର ମଲ୍ଲିକ, କଂଗ୍ରେସ ନେତା ମନୋଜ କୁମାର ସାହୁ, ଶେଖ ଅବଦୁଲ ଆହାଦ, ସମାଜସେବୀ ଅରୁଣ କୁମାର ମହାନ୍ତି, ସୁରେଶ ସ୍ୱାଇଁ, ଏମ. ଆଉରେଙ୍ଗଜେବ ଓ ମନୋଜ ମିଶ୍ର ପ୍ରମୁଖ  ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।
ପ୍ରାରମ୍ଭରେ ସାମ୍ବାଦିକ ସଂଘର ସମ୍ପାଦକ ସୁବାସ ମହାପାତ୍ର ଏହି ଆଲୋଚନା ଚକ୍ରର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ନିଶିକାନ୍ତ ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଜିଲ୍ଲା ସାମ୍ବାଦିକ ସଂଘର ସଦସ୍ୟ ଲୋକନାଥ ମିଶ୍ର, ପୁରୁଷୋତ୍ତମ ମହାପାତ୍ର, ଗୋକୁଳ କୁମାର ଷଡ଼ଙ୍ଗୀ, ଜିତୁନ ମହାପାତ୍ର, ଦୀପକ ଦାସ, ସୁଧାକର ମିଶ୍ର, ବିକ୍ରମ ସ୍ୱାଇଁ, ଭିକାରି ଦାସ, ବିଭୁତି ପଟ୍ଟନାୟକ ଏବଂ ଉମାକାନ୍ତ ମିଶ୍ର, ରସାନନ୍ଦ ସ୍ୱାଇଁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

ଅଧିକ ପଢନ୍ତୁ