ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତିନି ରଥର ମୁଖ୍ୟ ମହାରଣାଙ୍କ ଅନୁକୂଳ ପୂଜା ସହ ଆରମ୍ଭ ହୋଇଛି, ତିନି ରଥର ପାଞ୍ଚ ଦଣ୍ଡା ର ଚଉପଟ ନିର୍ମାଣ କାର୍ଯ୍ୟ । ଅନୁକୂଳ ପୂଜା ପରେ ତିନି ରଥ ସାଥି ମହାରଣା ସେବକମାନେ ପାଞ୍ଚ ଦଣ୍ଡାର ଚଉପଟ କାର୍ଯ୍ୟ ଆରମ୍ଭ କରି ୪ଟି ଲେଖାଏଁ ଦଣ୍ଡାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି । ଏହି ପାଞ୍ଚ ଦଣ୍ଡା ସହ ପାର୍ଶ୍ୱଦଣ୍ଡା ନିର୍ମାଣ ପରେ ତିନି ରଥର ଚକ – ଅଖର ଦିଗ ନିର୍ଣ୍ଣୟ ହୋଇ, ଚକ – ଅଖକୁ ବାନ୍ଧି ରଖିବା ପାଇଁ ଚକ – ଅଖ କୁ ଉଠିବ ପାଞ୍ଚ ଦଣ୍ଡା ସହ ପାର୍ଶ୍ଵଦଣ୍ଡା । ଶେଷ ହେବ ରଥ ନିର୍ମାଣର ପ୍ରଥମ ପର୍ଯ୍ୟାୟ ।ରୂପକାର ସେବକମାନେ ତିନି ରଥର ୩୩ ଗୋଟି ସାଲ ଗୁଜର ରୂପ ଖୋଦେଇ ଶେଷ କରି ତିନି ରଥର ୮ଟି ଲେଖାଏଁ ତୀଖ ଗୁଜର ରୂପ ଖୋଦେଇ ଜାରି ରଖିଛନ୍ତି । ସେପଟେ ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକମାନେ ତିନି ରଥର ଦଣ୍ଡା କଣ୍ଟା, ଗରଗରା କଣ୍ଟା ନିର୍ମାଣ ଶେଷ କରି ତିନିରଥର ଗୟଳ କଣ୍ଟା, ନଦା କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।
