କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରୁଛି। ଏହି ଚଢାଉଗୁଡ଼ିକ ଏକ ମନି ଲଣ୍ଡରିଂ ମାମଲା ସହିତ ଜଡିତ।କୋଚିନ୍ ମିନେରାଲ୍ସ ଆଣ୍ଡ୍ ରୁଟାଇଲ୍ ଲିମିଟେଡ୍ ଓ ବିଜୟନଙ୍କ ଝିଅ ଟି ବୀଣାଙ୍କ ମାଲିକାନାରେ ଥିବା ଏକ ଘରୋଇ କମ୍ପାନି ଏକ୍ସାଲୋଜିକ୍ ସଲ୍ୟୁସନ୍ସ ସହିତ ଜଡିତ କଥିତ ଆର୍ଥିକ ଅନିୟମିତତା ସମ୍ପର୍କରେ ଇଡି ଏହି ଚଢ଼ଉ କରିଛି। କେରଳ ହାଇକୋର୍ଟ କୋଚିନ୍ ମିନେରାଲ୍ସ ଆଣ୍ଡ୍ ରୁଟାଇଲ୍ ଲିମିଟେଡ୍ ମାମଲାରେ ଇଡ଼ିର ତଦନ୍ତ ବାତିଲ କରିବାକୁ ମନା କରିବାର ଦିନକ ପରେ ଏହି ଚଢ଼ଉ କରାଯାଇଥିଲା। ସିନ୍ଥେଟିକ୍ ରୁଟାଇଲ୍ ଓ ଶିଳ୍ପ ରାସାୟନିକ ପଦାର୍ଥ ନିର୍ମାଣରେ ନିୟୋଜିତ କେରଳମ୍ର ଏହି କମ୍ପାନି ଉପରେ ବଡ଼ଧରଣର ଲାଞ୍ଚ କାରବାର ଓ ମନି ଲଣ୍ଡରିଂ ଅଭିଯୋଗ ଆସିଛି। ଏକ୍ସାଲୋଜିକ୍ ସଲ୍ୟୁସନ୍ସ କୌଣସି ସେବା ପ୍ରଦାନ ନକରି କୋଚିନ୍ ମିନେରାଲ୍ସ ଠାରୁ ବିପୁଳ ପରିମାଣର ଅର୍ଥ ପାଇଛି ବୋଲି ଅଭିଯୋଗକୁ ନେଇ ବିବାଦ ରହିଥିଲା।ଏହି ମାମଲାରେ କୋଚି-ଭିତ୍ତିକ କମ୍ପାନୀ CMRL, କିମ୍ବା କୋଚିନ ମିନେରାଲ୍ସ ଆଣ୍ଡ ରୁଟାଇଲ ଲିମିଟେଡ ଜଡିତ ରହିଛି। ଏହା ବିଜୟନଙ୍କ ଝିଅଙ୍କର ବୋଲି ଜଣାପଡ଼ିଛି। ଅଭିଯୋଗ ହୋଇଛି ଯେ, କମ୍ପାନୀ ୨୦୧୨-୧୩ ଏବଂ ୨୦୧୮-୧୯ ମଧ୍ୟରେ ପରିବହନ ଏବଂ ପରିଚାଳନା ସମ୍ବନ୍ଧୀୟ ଖର୍ଚ୍ଚରେ ପ୍ରାୟ ୧୩୩.୮୨ କୋଟି ଟଙ୍କା ଠକେଇ କରିଛି। ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଦାବି କରୁଛନ୍ତି ଯେ ଏହି ଟଙ୍କା ନଗଦ ଆକାରରେ ଉଠାଯାଇଥିଲା ଏବଂ ରାଜନେତା, ରାଜନୈତିକ ଦଳ, ଗଣମାଧ୍ୟମ ସଂଗଠନ ଏବଂ କିଛି ସରକାରୀ ଅଧିକାରୀଙ୍କୁ ବଣ୍ଟନ କରାଯାଇଥିଲା।
