ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରୁ ଆସିଛି ଏକ ଅଦ୍ଭୁତ ଘଟଣା । ଶିବ ମନ୍ଦିରକୁ ଚୋରି ଉଦ୍ଦେଶ୍ୟରେ ପଶି, ଫସିଗଲା ଚୋର । ମନ୍ଦିର କବାଟର ଫାଙ୍କରେ ଫସିଯାଇ ବାହାରି ପାରିନଥିଲା ।ସକାଳେ ପୂଜକ ଆସି କବାଟ ଖୋଲିବା ପରେ ଭିତରେ ଜଣେ ଯୁବକ ଶୋଇଥିବା ଦେଖିଲେ । ସୂଚନା ପାଇ ପୁଲିସ୍ ପହଞ୍ଚି ଚୋରକୁ ଉଦ୍ଧାର କରିଥିଲା ।ଖବର ପାଇ ଗାଁ ଲୋକେ ମନ୍ଦିରରେ ଭିଡ଼ ଜମାଇଥିଲେ । ପ୍ରାୟ ଦୁଇ ମାସ ତଳେ ଏହି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିଲା । ତେଣୁ ଏହି ବ୍ୟକ୍ତିଙ୍କର ସେହି ଘଟଣା ସହ କୌଣସି ସମ୍ପର୍କ ରହିଛି କି ନାହିଁ, ତାହାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ରାତିସାରା ମନ୍ଦିର ଗର୍ଭଗୃହରେ ଫସି ରହିଥିବାରୁ ପୁଲିସ୍ ତାକୁ ପରଜଙ୍ଗ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନେଇଥିଲା । ସେଠାରୁ ସମ୍ପୃକ୍ତ ଯୁବକ ଚମ୍ପଟ୍ ମାରିଛି । ସେ ମାନସିକବିକାରଗ୍ରସ୍ତ ଯୁବକ ବୋଲି ପୁଲିସ୍ କହିଥିବା ବେଳେ ଗ୍ରାମବାସୀ ଏହାକୁ ମାନିବାକୁ ନାରାଜ୍ । ଯୁବକ ଡାକ୍ତରଖାନାରୁ ଚମ୍ପଟ୍ ମାରିଥିବାରୁ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ପୁଲିସ୍ ଏପରି କହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
