ଆଜି BRICS ସମ୍ମିଳନୀର ଦ୍ବିତୀୟ ଦିନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମ୍ମିଳନୀକୁ ଅଧିକାରିକ ଭାବେ ଉଦ୍ଘାଟନ କରୁଛନ୍ତି । ବ୍ରିକ୍ସ୍ ରାଷ୍ଟ୍ରସମୂହ ପ୍ରତିନିଧିଙ୍କ ସାମ୍ନାରେ ଓଡ଼ିଶାର ସୁଦୃଢ଼ ସତର୍କ ସୂଚନା କାର୍ଯ୍ୟକାରୀ ଏବଂ ସଫଳ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର ମଡେଲ୍ ପ୍ରଦର୍ଶିତ କରାଯାଇଛି ।ଏହି ୩ ଦିନିଆ ସମ୍ମିଳନୀରେ ବ୍ରାଜିଲ, ରୁଷ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ଚୀନ, ସାଉଦିଆରବ, ଦକ୍ଷିଣ ଆଫ୍ରିକା ଓ ୟୁଏଇ ଭଳି ୧୧ଟି ଦେଶର ପ୍ରତିନିଧି ଯୋଗ ଦେଇଛନ୍ତି । ବାତ୍ୟା, ବନ୍ୟା ହେଉ ଅବା ମରୁଡ଼ି, ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହୋଇଥିବାବେଳେ, ଏଭଳି ଅନ୍ତର୍ଜାତୀୟ ସ୍ତରର ସମ୍ମିଳନୀ ପୁରୀରେ ହେବା ଗୁରୁତ୍ୱ ବହନ କରୁଛି । ତେବେ ବିପର୍ଯ୍ୟୟ ପରିଚାଳନା ଉପରେ ଓଡି଼ଶା ସାରା ବିଶ୍ବକୁ ଦେବ ଗୁରୁମନ୍ତ୍ର । ଆଜି ବିପର୍ଯ୍ୟୟ ହ୍ରାସକାରୀ ଗୋଷ୍ଠୀର ବୈଷୟିକ ବୈଠକ ଅନୁଷ୍ଠିତ ହେବ ।ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଓଡ଼ିଶା ମାଟିରୁ ଓଡ଼ିଆ ପୁଅ ବିଶ୍ୱମଞ୍ଚରେ ରଖିବେ ବିପର୍ଯ୍ୟୟ ମୁକାବିଲାର ସଫଳ କାହାଣୀ । ଏଥିସହ ଅନ୍ୟ ଦେଶମାନେ ମଧ୍ୟ ନିଜ ନିଜ ଅଭିଜ୍ଞତା ବାଣ୍ଟିବେ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି ହ୍ରାସ ଦିଗରେ । ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ସମ୍ମିଳନୀ ଆୟୋଜିତ ହେଉଥିବାବେଳେ, ପୁରୀରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
