ଡୋମିନିକାନ୍ ରିପବ୍ଲିକ୍ ର ‘ଲା ରୋମାନା ଆନ୍ତର୍ଜାତୀୟ ବିମାନବନ୍ଦର’ ରେ ବିମାନ ଦୁର୍ଘଟଣା । ଏକ ‘ଗଲ୍ଫଷ୍ଟ୍ରିମ୍ G200’ ପ୍ରାଇଭେଟ୍ ଜେଟ୍ ରନୱେରେ ପିଟି ହେଲା । ଏହାପରେ ବିସ୍ଫୋରଣ ଯୋଗୁଁ ଜଳିପୋଡି ଛାରଖାର ହେଲା । ଏଥିରେ ୨ ପାଇଲଟଙ୍କ ମୃତ୍ୟୁ ହୋଇଛି। ବିମାନଟି ଲା ରୋମାନାରୁ ଆମେରିକାର ଟେକ୍ସାସ୍ ସହର ଅଭିମୁଖେ ଯାତ୍ରା କରୁଥିଲା । ଦୁର୍ଘଟଣାରେ ପାଇଲଟ୍ ଏବଂ କୋ-ପାଇଲଟ୍ ଉଭୟଙ୍କ ମୃତ୍ୟୁ ହୋଇଥିବା ଜାତୀୟ ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି । ଉଡ଼ାଣ ଭରିବା ସମୟରେ ଚକଗୁଡ଼ିକ ରନୱେରେ ଲାଗିଯିବାରୁ ବିମାନଟି ନିୟନ୍ତ୍ରଣ ହରାଇ ବସିଥିଲା। ଉଡ଼ାଣ ଭରିବା ବିମାନଟି ଦ୍ରୁତ ଗତିରେ ଉଡ଼ି ଅନେକ ଥର ଭୂମିରେ ପିଟି ହୋଇ ଏକ ବିରାଟ ଅଗ୍ନିପିଣ୍ଡୁଳାରେ ପରିଣତ ହୋଇଥିଲା । ଆଶ୍ୱସ୍ତିର ବିଷୟ ଯେ, ବିମାନରେ କୌଣସି ଯାତ୍ରୀ ନଥିଲେ। ଡୋମିନିକାନ୍ ସିଭିଲ୍ ଆଭିଏସନ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ବୈଷୟିକ ଟିମ୍ କାର୍ଯ୍ୟ କରୁଛନ୍ତି ।
