ଦିଲ୍ଲୀରେ ଅନୁଷ୍ଠିତ ହୋଇଛି ନିତି ଆୟୋଗର ୧୧ତମ ଗଭର୍ଣ୍ଣିଂ କାଉନସିଲ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ଫୋକସରେ ଥିଲା ବିକଶିତ ଭାରତ-୨୦୪୭ । ନିତି ଆୟୋଗର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇ ଓଡ଼ିଶା ବିକାଶର ରୋଡ୍ମ୍ୟାପ୍ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟର ବିଭିନ୍ନ ପଦକ୍ଷେପ ବିଷୟରେ ଅବଗତ କରାଇବା ସହ AI ଭିତ୍ତିକ ଶାସନ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶା ୭.୯ ପ୍ରତିଶତ ଆର୍ଥିକ ଅଭିବୃଦ୍ଧି ହାସଲ କରିଥିବା ବେଳେ ଆର୍ଥିକ ଶୃଙ୍ଖଳା ରକ୍ଷା କରି ନୀତି ଆୟୋଗର ଫିସ୍କାଲ ହେଲଥ ଇଣ୍ଡେକ୍ସ-୨୦୨୬ରେ ପ୍ରଥମ ସ୍ଥାନ ଅଧିକାର କରିଛି। ରେଳ ବିକାଶ ପାଇଁ କେନ୍ଦ୍ର ସରକାର ୧୦,୯୨୮ କୋଟି ଟଙ୍କା ବଜେଟ୍ ବ୍ୟବସ୍ଥା କରିଥିବା ବେଳେ ରାଜ୍ୟରେ ୯୦ ହଜାର କୋଟି ଟଙ୍କାରୁ ଅଧିକ ରେଳ ପ୍ରକଳ୍ପ ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହା ସଂଯୋଗକୁ ସୁଦୃଢ଼ କରୁଛି ଏବଂ ନୂତନ ଆର୍ଥିକ ସୁଯୋଗ ଖୋଲିଛି।ସେ କହିଛନ୍ତି- ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ପୂର୍ବ ଭାରତର ବିକାଶରେ ଓଡ଼ିଶା ଅଗ୍ରଣୀ ଭୂମିକା ନେଉଛି ।
