ଭାରତୀୟ କ୍ରିକେଟ୍ ଦଳର ପେସ୍ ବୋଲର ଆକାଶ ଦୀପ ସିଂହ ବୁଧବାର ତାଙ୍କ ଜିଲାର ଅକ୍ଷିତା ରାଜ୍ଙ୍କୁ ବିବାହ କରିଛନ୍ତି। ୨୦୨୪ରେ ଫେବ୍ରୁଆରିରେ ପଦାର୍ପଣ କରିଥିବା ଆକାଶ, ଭାରତ ପକ୍ଷରୁ ୧୦ ଟେଷ୍ଟ୍ ଖେଳିଛନ୍ତି। ବିହାରର ରୋହତକ ଜିଲ୍ଲାର ମାଣିକପୁର ଗାଁର ଝିଅ ଅକ୍ଷିତାଙ୍କ ହାତ ଧରିବା ପରେ ଏହି ବେଙ୍ଗଲ ଦ୍ରୁତ ବୋଲର ଇନ୍ଷ୍ଟାଗ୍ରାମ୍ରେ ଫଟୋ ପୋଷ୍ଟ କରି ପ୍ରଶଂସକମାନଙ୍କୁ ନିଜ ବିବାହ ବିଷୟରେ ଅବଗତ କରିଛନ୍ତି।ପୋଷ୍ଟ କରିଥିବା ଫଟୋର ଶିରୋନାମରେ ସେ ଲେଖିଛନ୍ତି ଯେ, ‘‘ଆମେ ଏକାଠି ସବୁଠାରୁ ଲମ୍ବା ଓ ସୁନ୍ଦର ପାଳି ଖେଳିବାକୁ ପ୍ରସ୍ତୁତ। ଏବେ ଆମେ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛେ। ମୁଁ ଜାଣେ ସାଥୀ ଭାବେ ତୁମ ସହିତ ରହିଲେ, ପ୍ରତ୍ୟେକ ଦିନ ବିଜୟ ପରି ଅନୁଭବ ହେବ’’। ଆକାଶ ଦୀପ ବୁଧବାର ବ୍ୟାଣ୍ଡ୍, ବାଜା, ନୃତ୍ୟ ସହ ଶତାଧିକ ବରଯାତ୍ରୀଙ୍କୁ ସାଙ୍ଗରେ ନେଇ ବାରାଣସୀରେ ସନ୍ଧ୍ୟାରେ ପହଞ୍ଚିଥିଲେ। ସହରର ଏକ ପଞ୍ଚତାରକା ହୋଟେଲେର ବୁଧବାର ରାତିରେ ଆକାଶ-ଅକ୍ଷିତାଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ଉତ୍ସବକୁ ପ୍ରାୟ ୩୫୦ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେମାନଙ୍କୁ ଏକ ସ୍ବତନ୍ତ୍ର ବାର୍ କୋଡ୍ ଦିଆଯାଇଥିଲା। ଏହାକୁ ସ୍କାନ୍ କରି ସେମାନେ ହୋଟେଲ ଭିତରକୁ ଯାଇଥିଲେ। ଗତବର୍ଷ ଇଂଲଣ୍ଡ ଗସ୍ତ ପରଠାରୁ ଆକାଶ ଦୀପ ଭାରତ ପାଇଁ ଖେଳିନାହାନ୍ତି। ତାଙ୍କ ପିଠିରେ ଆଘାତ ଲାଗିଛି।
