ମୁଖ୍ୟମନ୍ତ୍ରୀଙ୍କ ‘Go East’ ପ୍ଲାଟଫର୍ମ ଘୋଷଣା: ଶିଳ୍ପାୟନରେ ସବୁ ରେକର୍ଡ ଭାଙ୍ଗିବ ଓଡ଼ିଶା

ପୂର୍ବ ଓ ପୂର୍ବୋତ୍ତର ରାଜ୍ୟରୁ ନିବେଶ ହାସଲ କରିବା ତଥା ରାଜ୍ୟର ପଛୁଆ ଓ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଶିଳ୍ପାୟନର ନୂଆ ଯୁଗ ଆରମ୍ଭ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ‘ଗୋ-ଇଷ୍ଟ’ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଛନ୍ତି। ସିଆଇଆଇ ପୂର୍ବାଞ୍ଚଳ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ଲାଟ୍‌ଫର୍ମକୁ ଉନ୍ମୋଚନ କରିଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “‘Go East’ର ଅର୍ଥ ହେଉଛି ‘Government of Odisha- Eastern Investment Accelerator and Special Task Force’ । ଏହି ନୂତନ ପଦକ୍ଷେପ ମାଧ୍ୟମରେ ସମଗ୍ର ପୂର୍ବାଞ୍ଚଳ ଓ ପୂର୍ବୋତ୍ତର ରାଜ୍ୟର ଶିଳ୍ପ ଗୋଷ୍ଠୀଗୁଡ଼ିକ ତାଙ୍କ ନିଜ ରାଜ୍ୟରେ ତାଙ୍କର ଇଣ୍ଡଷ୍ଟ୍ରିଆଲ ବେସ୍ ଓ ମାର୍କେଟକୁ ସୁରକ୍ଷିତ ରଖି ଓଡ଼ିଶାରେ ନିବେଶ କରିବାକୁ ବ୍ୟାପକ ସୁଯୋଗ ପାଇବେ । ବିଗତ ୨ ବର୍ଷ ମଧ୍ୟରେ ଓଡ଼ିଶାର ଶିଳ୍ପାୟନ ପ୍ରକ୍ରିୟା ଏକ ବ୍ୟାପକ ସ୍ତରରେ ପହଞ୍ଚିଛି । ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶା ଶିଳ୍ପାୟନ ଓ ଅଭିବୃଦ୍ଧି କ୍ଷେତ୍ରରେ ପୂର୍ବ ଭାରତର ଶ୍ରେଷ୍ଠ ରାଜ୍ୟରେ ପରିଣତ ହେବ ।ସ୍ୱତନ୍ତ୍ର ‘Go East’ ନୀତି ଅଧୀନରେ ରାଜ୍ୟରେ ଏକ ଉଚ୍ଚସ୍ତରୀୟ ସ୍ୱତନ୍ତ୍ର ଟାସ୍କ ଫୋର୍ସ (Special Task Force) ଗଠନ କରାଯିବ । ଯାହା ସମସ୍ତ ନିବେଶ ପ୍ରକଳ୍ପ ଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ । ଏଥିସହିତ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ’ (IPICOL) ମଧ୍ୟରେ ଏକ ସମର୍ପିତ ‘Go East Cell’ ଗଠନ କରାଯିବ । ନିବେଶ ପ୍ରକ୍ରିୟା ଏବଂ ମଞ୍ଜୁରୀର ସ୍ଥିତିକୁ ରିଏଲ୍ ଟାଇମ୍‌ (ତତ୍କାଳ) ମନିଟରିଂ ଓ ଟ୍ରାକିଂ କରିବା ପାଇଁ ଏକ ସ୍ୱତନ୍ତ୍ର ‘Go Swift’ ମଡ୍ୟୁଲ୍ ମଧ୍ୟ ସୃଷ୍ଟି କରାଯିବ । ଏହି ପଦକ୍ଷେପ ଫଳରେ ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ସର୍ବାଧିକ ପୁଞ୍ଜି ନିବେଶ ହେବ । ଏହାସହ ସେଠାରେ ଅନେକ ନୂଆ ଇଣ୍ଡଷ୍ଟ୍ରିଆଲ ଗ୍ରୋଥ ସେଣ୍ଟର ବା ଶିଳ୍ପ ବିକାଶ କେନ୍ଦ୍ର ଗଢ଼ି ଉଠିବ । ଯାହା ସ୍ଥାନୀୟ ଅଞ୍ଚଳର ରୂପରେଖ ବଦଳାଇ ଦେବ ।

ଅଧିକ ପଢନ୍ତୁ