ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ସିନେମାଟୋଗ୍ରାଫର୍ ଦିଲ୍ଲୀପ ରାୟ ଆଉ ନାହାନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲ୍ ରେ ଗତକାଲି ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ସେଥିଲାଗି ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩-୨୪ର ଜୁରି ଥାଇ ମଧ୍ୟ ଉତ୍ସବରୁ ଦୂରେଇ ରହିଥିଲେ । ଶୁକ୍ରବାର ପୁରସ୍କାର ପ୍ରଦାନ ଉତ୍ସବରେ ମଞ୍ଚରେ ତାଙ୍କ ନାଁ ଘୋଷଣା ହୋଇଥିଲା କିନ୍ତୁ ସେ ଅନୁପସ୍ଥିତ ରହିଥିଲେ । ଉତ୍ସବ ସରିବାର କିଛି ସମୟ ମଧ୍ୟରେ ଖବର ଆସି ପହଞ୍ଚିଥିଲା କି ରାତି ପ୍ରାୟ ସାଢ଼େ ୯ଟା ସମୟରେ ସେ ଅଫେରା ରାଇଜକୁ ଚାଲିଯାଇଛନ୍ତି । ଏହି ଖବର ପରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । କିଛିଦିନ ତଳେ ତାଙ୍କୁ ହୃଦଘାତ ଯୋଗୁଁ ବ୍ରେନ୍ ଷ୍ଟ୍ରୋକ୍ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ପତ୍ନୀ ଓ ତିନି କନ୍ୟା ଅଛନ୍ତି। ତାଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ କରାଯିବ ବୋଲି ସୂଚନା ମିଳିଛି। ଶ୍ରୀ ରାୟ ୧୯୫୭ରେ କଟକରେ ଜନ୍ମଗ୍ରହଣ କରିଥିଲେ । ୧୯୮୨ରେ ବେଙ୍ଗାଲୁରୁ ଏଫ୍ଟିଆଇରୁ ମୋସନ୍ ପିକ୍ଚର ଫଟୋଗ୍ରାଫିରେ ଡିପ୍ଲୋମା ପାସ୍ କରିଥିଲେ । ୪ ଦଶନ୍ଧିରୁ ଅଧିକ ସମୟ ଧରି ସର୍ବଭାରତୀୟ ସିନେମା ଓ ଟେଲିଭିଜନ ଜଗତରେ କାର୍ଯ୍ୟ କରିଥିଲେ । ପାଖାପାଖି ୭୦ ଓଡ଼ିଆ, ୧୫ ବଙ୍ଗଳା ଏବଂ ୮ ଛତିଶଗଡ଼ି ଚଳଚ୍ଚିତ୍ରରେ କାମ କରିଛନ୍ତି । ଅନେକ ପ୍ରାମାଣିକ ଚିତ୍ର ଓ ଟେଲି ଧାରାବାହିକରେ କାମ କରିଛନ୍ତି । ଦୂରଦର୍ଶନ ପାଇଁ ପ୍ରାମାଣିକ ଚିତ୍ର ଓ କିଛି ସିରିଜ୍ ଲାଗି ନିର୍ଦ୍ଦେଶନା ବି ଦେଇଥିଲେ ।
