ଲସ୍କର ଏବଂ ଜୈଶର ୨୩ ସଦସ୍ୟଙ୍କୁ ଆତଙ୍କବାଦୀ ଘୋଷିତ କଲା ଭାରତ

ଆତଙ୍କବାଦ ବିରୋଧରେ ଏକ ବଡ଼ ପଦକ୍ଷେପ ସ୍ବରୂପ, କେନ୍ଦ୍ର ସରକାର ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA) ଅଧୀନରେ ୨୩ ଜଣଙ୍କୁ ଆନୁଷ୍ଠାନିକ ଭାବରେ ଆତଙ୍କବାଦୀ ଭାବରେ ନାମିତ କରିଛନ୍ତି। ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ଗେଜେଟ ବିଜ୍ଞପ୍ତିରେ ସେମାନଙ୍କ ନାମ UAPA ର ଚତୁର୍ଥ ସୂଚୀରେ ଅନ୍ତର୍ଭୁକ୍ତ କରାଯାଇଛି। ୟୁଏପିଏ ଅଧୀନରେ ୨୩ ଜଣ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୋଏବଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି । ସେମାନଙ୍କ ଉପରେ ଆତଙ୍କବାଦୀ କାର୍ଯ୍ୟକଳାପ, ଆତଙ୍କବାଦୀଙ୍କୁ ନିଯୁକ୍ତି, ଅନୁପ୍ରେବଶ, ତାଲିମ, ଡ୍ରେନ୍ ବ୍ୟବହାର କରି ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଏବଂ ଜମ୍ମୁ କାଶ୍ମୀରରେ ଆକ୍ରମଣ ଯୋଜନାରେ ଲିପ୍ତ ଥିବା ଅଭିଯୋଗ ରହିଛି । ସମସ୍ତ ୨୩ ଜଣ ଆତଙ୍କବାଦୀ ଲସ୍କର-ଏ-ତୋଏବ ମୁଖ୍ୟ ହାଫିଜ୍ ମହମ୍ମଦ ସଇଦର ନିକଟତର ଥିବା ଜଣାପଡିଛି ।ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବିଜ୍ଞପ୍ତିରେ ସୂଚିତ କରାଯାଇଛି, ଏହି ବ୍ୟକ୍ତିମାନଙ୍କର ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ପର୍ଯ୍ୟାପ୍ତ ପ୍ରମାଣ ମିଳିଛି। ଏହା ଆଧାରରେ, ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଅନୁଯାୟୀ ସେମାନଙ୍କ ନାମ ଚତୁର୍ଥ ସୂଚୀରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ତାଲିକାରେ ସେମାନଙ୍କ ନାମ ଅନ୍ତର୍ଭୁକ୍ତ ହେବା ପରେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ, ତଦନ୍ତ ଏବଂ ସମ୍ପତ୍ତି ଜବତ ପ୍ରକ୍ରିୟା ଅଧିକ ପ୍ରଭାବଶାଳୀ ହେବ। ବିଜ୍ଞପ୍ତି ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରାକେଶ ରାଠି ଜାରି କରିଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି, ଆତଙ୍କବାଦ ବିରୋଧରେ ଏହାର ଶୂନ୍ୟ ସହନଶୀଳତା ନୀତି ଜାରି ରହିବ ଏବଂ ଦେଶର ସୁରକ୍ଷା ପାଇଁ ଏପରି ଅସାମାଜିକ ତତ୍ତ୍ବମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅଧିକ ପଢନ୍ତୁ