ପଶ୍ଚିମ ଏସିଆରେ ପୁଣି ଥରେ ଯୁଦ୍ଧର କଳାବାଦଲ । ଆମେରିକା ଏବଂ ଇରାନ ମଧ୍ୟରେ ଗତ ମାସରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଏବେ ବିପଦରେ । ଇରାନ ବିରୋଧରେ ଆମେରିକା ପକ୍ଷରୁ ପୁଣି ଥରେ ସାମରିକ ଆକ୍ରମଣ ଆରମ୍ଭ ହୋଇଯାଇଛି ।ଇରାନର ଚେତାବନୀ ମଧ୍ୟରେ ଓମାନ ଉପକୂଳ ନିକଟରେ ୩ଟି ବୃହତ ବାଣିଜ୍ୟିକ ତେଲ ଟ୍ୟାଙ୍କର ଉପରେ ଡ୍ରୋନ୍ କିମ୍ବା ମିସାଇଲ ମାଡ଼ ହୋଇଥିଲା। ଏଥିମଧ୍ୟରେ କତାରର ଏଲ୍ ଏନ୍ ଜି ଟ୍ୟାଙ୍କର ‘ଅଲ୍-ରେକାୟାତ’ର ଇଞ୍ଜିନ ରୁମ୍ ରେ ନିଆଁ ଲାଗିଯାଇଥିବା ବେଳେ ସାଉଦି ଆରବର ଅଶୋଧିତ ତେଲ ଟ୍ୟାଙ୍କର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଆକ୍ରମଣ ପାଇଁ ଆମେରିକା ସିଧାସଳଖ ଇରାନକୁ ଦାୟୀ କରିଛି । ତେବେ ଏହି ଆକ୍ରମଣର ଜବାବରେ ଆମେରିକା ସେନା ଇରାନର ଏୟାର ଡିଫେନ୍ସ ସିଷ୍ଟମ, ମିସାଇଲ୍ ସିଷ୍ଟମ, ଉପକୂଳ ନିରୀକ୍ଷଣ କେନ୍ଦ୍ର ଏବଂ ଡ୍ରୋନ୍ ଲଞ୍ଚ ସାଇଟ୍ଗୁଡ଼ିକୁ ଟାର୍ଗେଟ୍ କରିଛି। ଇରାନ ଗଣମାଧ୍ୟମ ମଧ୍ୟ ସିରିକ୍, କେଶ୍ମ ଦ୍ୱୀପ ଏବଂ ବନ୍ଦର ଆବାସରେ ଏକାଧିକ ବିସ୍ଫୋରଣ ହୋଇଥିବା ସ୍ପଷ୍ଟ କରିଛି । ସାମରିକ ଆକ୍ରମଣ ସହିତ ଆମେରିକା ଇରାନ ଉପରେ ବଡ଼ ଆର୍ଥିକ ପ୍ରତିବନ୍ଧକ ଲଗାଇଛି । ଗତ ଜୁନ୍ ମାସରେ ଆନ୍ତର୍ଜାତୀୟ ବଜାରରେ ଇରାନକୁ କ୍ରୁଡ୍ ଅଏଲ୍ ଏବଂ ପେଟ୍ରୋକେମିକାଲ୍ସ ବିକ୍ରି ପାଇଁ ମିଳିଥିବା ଅନୁମତିକୁ ଆମେରିକା ପ୍ରତ୍ୟାହାର କରିନେଇଛି । ଆସନ୍ତା ଜୁଲାଇ ୧୭ ସୁଦ୍ଧା ଇରାନକୁ ନିଜର ସମସ୍ତ ତୈଳ କାରବାର ବନ୍ଦ କରିବାକୁ ପଡ଼ିବ। ଆମେରିକାର ଏହି ନିଷ୍ପତ୍ତି ପରେ ବିଶ୍ୱ ବଜାରରେ ଅଶୋଧିତ ତୈଳ (Crude Oil) ଦରରେ ୩ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି । ଅନ୍ୟପଟେ ଇରାନ ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି । ଇରାନ କହିଛି ଯେ ସେ କୌଣସି ଜାହାଜ ଉପରେ ଆକ୍ରମଣ କରିନାହିଁ ଏବଂ ସେ ଚୁକ୍ତିନାମା ପାଳନ କରୁଛି । ଓଲଟା ଆମେରିକା ହିଁ ପ୍ରଥମେ ଆକ୍ରମଣ କରି ଅସ୍ତ୍ରବିରତି ଉଲ୍ଲଂଘନ କରିଛି ବୋଲି ଇରାନ କଡ଼ା ଚେତାବନୀ ଦେଇଛି । ଇରାନ ହରମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବାକୁ ଧମକ ଦେଇଛି। ରାଷ୍ଟ୍ରପତି ଟ୍ରମ୍ପ ଏବେ ନାଟୋ ସମ୍ମିଳନୀରେ ଥିବା ବେଳେ ଆମେରିକାର ବଡ଼ ପଦକ୍ଷେପ ପଶ୍ଚିମ ଏସିଆରେ ନୂଆ ଯୁଦ୍ଧର ସୂତ୍ରପାତ କରିବା ଆଶଙ୍କାକୁ ବଢ଼ାଇଛି। ସ୍ଥିତି ଏବେ ବି ଅତ୍ୟନ୍ତ ସମ୍ବେଦନଶୀଳ ରହିଛି ।
