
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ହାଉସିଂବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ରଥପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ରଥ ନିର୍ମାଣ ପାଇଁ ବ୍ଯବହୃତ ହେଉଥିବା ଫାସି, ଅସନ, ଧଉରା ଗଛର ଅଭାବକୁ ନେଇ ସୃଷ୍ଟି ହେଉଥିବା ବିଭିନ୍ନ ବାଦବିବାଦରୁ ଦୂରେଇ ବିଦ୍ଯାଳୟର ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ ମାନେ ନିଜ ନିଜ ଜମିବାଡିରେ ଫାସି ଗଛ ଲଗାଇ ତାକୁ ଯତ୍ନ ସହକାରେ ବଡକରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ସମର୍ପଣ କରିବାକୁ ସଂକଳ୍ପ ନେଇଛନ୍ତି। ଏହି ଫାସି ଚାରା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇଥିଲା ବେଳେ ବିଶିଷ୍ଟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ଥିଲେ, ସମ୍ମାନିତ ଅତିଥି ଭାବେ ନୟାଗଡ଼ ବନଖଣ୍ଡ ଅଧିକାରୀ ଦେବାର୍ଚ୍ଚନ ବେହେରା ଓ ପୌର ପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇ ଯୋଗଦେଇ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ରଥ ନିର୍ମାଣ ପାଇଁ ଆବଶ୍ଯକ କାଠ ନୟାଗଡ଼ ବନଖଣ୍ଡ ରୁ ସରି ସରି ଯାଉଥିବା ବେଳେ ଏହି ପ୍ରୟାସ ନିଶ୍ଚିତ ଭାବେ ସ୍ବାଗତ ଯୋଗ୍ୟ ବୋଲି ମୁଖ୍ଯ ଅତିଥି ଜିଲ୍ଲାପାଳ କହିଥିଲେ। ପରିବେଶ ସୁରକ୍ଷା ହେବ ତା ସହିତ ରଥ ପାଇଁ କାଠର ଅଭାବ ଦୂର ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ସର୍ବ ପ୍ରଥମେ ବିଦ୍ଯାଳୟ ପରିସରରେ ଅତିଥି ମାନେ ଏକ ଫାସି ଚାରା ରୋପଣ କରିଥିଲେ।ତାହା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଳତୀ ସହିତ ଏକ ଭବ୍ୟ ଓ ଦିବ୍ୟ କାର୍ଯ୍ୟକ୍ରମରେ ଚାଳିଶ ଜଣ ଜଗନ୍ନାଥ ପ୍ରେମୀ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ ମାନଙ୍କୁ ଫାସି ଚାରା ବଣ୍ଟନ କରିଥିଲେ। ଅଭିଭାବକ ମାନେ ନିଜ ଜମିବାଡିରେ ଏହି ଚାରା ରୋପଣ କରି ପ୍ରତିଦିନ ସନ୍ଧ୍ଯାରେ ଧୂପ ଦୀପ ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଏହି ଗଛ ମାଧ୍ୟମରେ ଦର୍ଶନ କରିବେ ବୋଲି ମତବ୍ଯକ୍ତ କରିଥିଲେ। ଯେଉଁ ମାନେ ଏହି କାର୍ଯ୍ୟକ୍ରମ ଜରିଆରେ ଚାରା ସଂଗ୍ରହ କଲେ ସେମାନେ ଏକ ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରିଛନ୍ତି, ଯେଉଁ ଫର୍ମ ନୟାଗଡ଼ ବନଖଣ୍ଡ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ପ୍ରେରଣ କରାଯିବ ବୋଲି ସଂପାଦକ ଶ୍ରୀଯୁକ୍ତ ସାହୁ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ଅନାଦି ଚରଣ ମହାନ୍ତି, ଭାରତ ବିକାଶ ପରିଷଦ ର ସଦସ୍ଯ ଦୁର୍ଯ୍ୟୋଧନ ସାହୁ,ଉଦୟନାଥ ସାହୁ,ଶ୍ରୀକୁମର ରଥ, ସୂର୍ଯ୍ଯମଣି ସାହୁ ଯୋଗଦେଇ ଥିଲା ବେଳେ ସଂଗୀତ ଗୁରୁ ରଜନୀକାନ୍ତ ମହାପାତ୍ର,ରୋଟାରିଆନ ଧୀରେନ୍ଦ୍ର କୁମାର ପଟ୍ଟନାୟକ,ବିଦ୍ଯାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକଙ୍କ ସମେତ ବିଦ୍ଯାଳୟର ସ୍କାଉଟ୍ ଗାଇଡ୍ ଛାତ୍ରଛାତ୍ରୀ ଓ ସମସ୍ତ ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲେ।
