ଶେଷ ହେଲା ରଥ ଟଣା । ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ । ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ପୁରା ବଡ଼ଦାଣ୍ଡ । ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ପହଞ୍ଚିଥିଲା। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମଧ୍ୟ ଶରଧାବାଲିରେ ପହଞ୍ଚିଛି।ନନ୍ଦିଘୋଷ ରଥ ଗୁଣ୍ଡିଚାରେ ପହଞ୍ଚିବା ମାତ୍ରେ ଭକ୍ତମାନଙ୍କ ମୁହଁରେ ଖୁସିର ଝଲକ ସ୍ପଷ୍ଟ ଦେଖିବାକୁ ମିଳିଥିଲା । ଅନେକଙ୍କ ବିଶ୍ୱାସ, ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଜୀବନର ସମସ୍ତ ଦୁଃଖ, କଷ୍ଟ ଓ କ୍ଳେଶକୁ ଦୂର କରି ମନକୁ ଶାନ୍ତି ଓ ଆନନ୍ଦରେ ଭରିଦିଏ । ଭକ୍ତି, ବିଶ୍ୱାସ ଓ ଆଧ୍ୟାତ୍ମିକ ଭାବନାର ଏହି ଅଦ୍ଭୁତ ସଙ୍ଗମ ପୁଣି ଥରେ ପ୍ରମାଣ କରିଛି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ଅନନ୍ତ ଓ ଅପାର । ତାଙ୍କ ଅପୂର୍ବ ରୂପର ଦର୍ଶନ ପାଇ ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଛନ୍ତି । ସଭିଙ୍କ ତୁଣ୍ଡରେ ଏବେ ଗୋଟିଏ ଧ୍ୱନି—”ଜୟ ଜଗନ୍ନାଥ” ।ବୁଧବାର ଦିନ ଅପରାହ୍ନ ସମୟରେ ଆରମ୍ଭ ହୋଇଥିଲା ରଥ ଟଣା । ଦିନ ଗଡିବା ପରେ ତିନି ରଥ ଟଣା ପୁରା ହୋଇପାରିନଥିଲା । ସେଥିପାଇଁ ଗୁରୁବାର ଦିନ ପୁଣି ଥରେ ଆରମ୍ଭ ହୋଇଥିଲା ରଥ ଟଣା ।
