ଅତ୍ୟଧିକ ଭିଡ଼କୁ ଦେଖି ବୃଦ୍ଧ-ଶିଶୁଙ୍କୁ ପୁରୀ ନଆସିବାକୁ ଅନୁରୋଧ କଲେ ଡିଜିପି

ସକାଳୁ ସକାଳୁ ବଡ଼ଦାଣ୍ଡରେ ଜମିଥିଲା ଲକ୍ଷ ଲକ୍ଷ ଭକ୍ତଙ୍କ ସମୁଦ୍ର । ତେବେ ଭିଡ଼କୁ ଦୃଷ୍ଟିରେ ରଖି ଛୋଟ ପିଲା ଏବଂ ବୟସ୍କଙ୍କୁ ନେଇ ପୁରୀ ନ ଆସିବାକୁ ପୋଲିସ ଡିଜି ୱାଇ.ବି ଖୁରାନିଆ ସୂଚନା ଦେଇଛନ୍ତି ।ପ୍ରଶାସନ ଓ ପୁଲିସର କଡ଼ା ବ୍ୟବସ୍ଥା ଯୋଗୁଁ କୌଣସି ଅଘଟଣ ଘଟିନଥିବା ଜଣାପଡିଛି। ମହାପ୍ରଭୁଙ୍କ ଦର୍ଶନକୁ ଅଧିକ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ପ୍ରଶାସନ ଗୁରୁତ୍ୱ ଦେବ ବୋଲି ଡିଜିପି ୱାଇବି ଖୁରାନିଆ ସୂଚନା ଦେଇଛନ୍ତି । ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଭକ୍ତଙ୍କ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ବିଶେଷ ବ୍ୟବସ୍ଥା କରାଯିବ ।ଏନେଇ ଡିଜିପି କହିଛନ୍ତି, ଆଗାମୀ ଦିନରେ ଦର୍ଶନ ସମୟରେ ଭିଡକୁ ଦୃଷ୍ଟିରେ ରଖି ବ୍ୟାରିକେଡ ଓ କ୍ୟୁ ଲାଇନ ବ୍ୟବସ୍ଥାକୁ ଆହୁରି ମଜବୁତ କରାଯିବ । ଛୋଟ ପିଲା ଏବଂ ବୟସ୍କଙ୍କୁ ଧରି ପୁରୀ ନ ଆସିବାକୁ ଅନୁରୋଧ କରିଛନ୍ତି ପୋଲିସ ଡିଜି । ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ସୂଚନା ଦେଇଛନ୍ତି ଯେ ଆଜି ରଥ ଉପରେ ଗୋପାଳବଲ୍ଲଭ, ସକାଳ ଧୂପ ନୀତି, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ବଡ଼ ସିଂହାର ବେଶ ଏବଂ ପହୁଡ଼ ନୀତି ଅନୁଷ୍ଠିତ ହେବ । ଆସନ୍ତାକାଲି ଭୋରୁ ମଙ୍ଗଳା ଆଳତୀ, ଅବକାଶ, ଗୋପାଳ ବଲ୍ଲଭ, ସକାଳ ଧୂପ, ଯାତ୍ରାଙ୍ଗି ମହାସ୍ନାନ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ଘୋଡ଼ା ପିଠା, ଚାରମାଳ ବନ୍ଧା ନୀତି ପରେ ପୁଷ୍ପାଞ୍ଜଳି, ଡୋର ଲାଗି ଏବଂ ଗୋଟି ପହଣ୍ଡିରେ ଚାରି ଠାକୁର ଜନ୍ମ ବେଦୀକୁ ଯିବେ ।

ଅଧିକ ପଢନ୍ତୁ