ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ । ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ସାରା ବିଶ୍ୱ ବଡ଼ଦାଣ୍ଡରେ ରଥଟଣା ଦେଖୁଛି । ସେତିକିବେଳେ ଚିଲିକା ହ୍ରଦ ମଧ୍ୟରେ ଥିବା କଙ୍କଣ ଶିଖରୀଠାରେ ସମ୍ପୂର୍ଣ୍ଣ ନିଆରା ପରମ୍ପରା ଦେଖିବାକୁ ମିଳିଛି। ସାରା ବିଶ୍ୱର ରଥଯାତ୍ରା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ନିଆରା ଢଙ୍ଗରେ ଏଠାରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସାଧାରଣତଃ କାଠ ତିଆରି ରଥରେ ବଡ଼ଦାଣ୍ଡ ଉପରେ ରଥଯାତ୍ରା ହେଉଥିବା ବେଳେ ଏଠାରେ ସୁସଜ୍ଜିତ ନୌକା ହିଁ ସାଜିଛି ମହାପ୍ରଭୁଙ୍କ ରଥ ଏବଂ ଚିଲିକାର ନୀଳ ଜଳରାଶି ପାଲଟିଛି ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ।କାଙ୍କଣ ଶିଖରୀରେ ମହାପ୍ରଭୁଙ୍କ ଆରାଧନା ପଛରେ ରହିଛି ଓଡ଼ିଶା ଇତିହାସର ଏକ ସଂଘର୍ଷପୂର୍ଣ୍ଣ ଅଧ୍ୟାୟ । ମୋଗଲ ଶାସକ ମହମ୍ମଦ ତକି ଖାଁ ଯେତେବେଳେ ଶ୍ରୀମନ୍ଦିର ଉପରେ ବାରମ୍ବାର ଆକ୍ରମଣ କରି ମହାପ୍ରଭୁଙ୍କ ବିଗ୍ରହ ନଷ୍ଟ କରିବାକୁ ଚେଷ୍ଟା କରୁଥିଲା, ସେତେବେଳେ ସେବାୟତମାନେ ମହାପ୍ରଭୁଙ୍କ ସୁରକ୍ଷା ପାଇଁ ଚିଲିକା ଭିତରେ ଥିବା ଏହି ଗୁପ୍ତ ଟାପୁକୁ ବାଛି ନେଇଥିଲେ । ଶ୍ରୀଜିଉମାନଙ୍କୁ ଏହି ନିରାପଦ ଟାପୁରେ ବହୁ ଦିନ ଧରି ଗୁପ୍ତରେ ରଖି ପୂଜା ଅର୍ଚ୍ଚନା କରାଯାଉଥିଲା । ସେହି ସ୍ମୃତିକୁ ମନେ ପକାଇ ଆଜି ବି ଏଠାରେ ‘ଜଳ ରଥଯାତ୍ରା’ର ଏହି ଭାବପୂର୍ଣ୍ଣ ପରମ୍ପରା ବଞ୍ଚି ରହିଛି ।ଟାପୁରେ ଗୁପ୍ତବାସ ସମୟରେ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିର ଭଳି ଛପନ ଭୋଗର ବ୍ୟବସ୍ଥା ନଥିଲା । ସେହି ଜଙ୍ଗଲ ଘେରା ନିର୍ଜନ ସ୍ଥାନରେ ପ୍ରାକୃତିକ ଭାବେ ମିଳୁଥିବା ବଣୁଆ କାଙ୍କଡ଼ ଯାହାକୁ ଶ୍ରଦ୍ଧାର ସହ ରୋଷେଇ କରି ପ୍ରଭୁଙ୍କୁ ଭୋଗ ଲଗାଯାଉଥିଲା । ଏହି କାଙ୍କଡ଼ ଭୋଗ ପାଇଁ ସ୍ଥାନଟିର ନାମ ପରବର୍ତ୍ତୀ ସମୟରେ କାଙ୍କଣ ଶିଖରୀ ଭାବେ ପ୍ରସିଦ୍ଧି ଲାଭ କରିଥିବା ଜଣାପଡିଛି ।ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ପୋଲିସ, ମନ୍ଦିର କମିଟି ଓ ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷିତ ଭାବେ ଶ୍ରଦ୍ଧାଳୁମାନେ ଯେପରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେଥିପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇଛି । ବିଶ୍ୱରେ ଏକମାତ୍ର ସ୍ଥାନ ଯେଉଁଠି ‘ଜଳ ରଥଯାତ୍ରା’ ଅନୁଷ୍ଠିତ ହୁଏ ।
