ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳିଛି । ବିନା ଟାହିଆରେ ମହାପ୍ରଭୁ ବିଜେ କରିବା ଓ ବାଇଶି ପାହାଚରେ ମହାପ୍ରଭୁ ୪୦ ମିନିଟ୍ ଅଟକି ରହିବା ଅଗଣିତ ଜଗନ୍ନାଥପ୍ରେମୀଙ୍କ ମନକୁ ଆଘାତ ଦେଇଛି । ରଥଯାତ୍ରା ପରିଚାଳନରେ ବ୍ୟାପକ ତ୍ରୁଟି ଯୋଗୁଁ ଦଳାଚକଟାରେ ଅକାଳରେ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିବାରୁ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା, ରାଜ୍ୟସଭା ସାଂସଦ ଶ୍ରୀ ଶୁଭାଶିଷ ଖୁଣ୍ଟିଆ, ପୁରୀ ଜିଲ୍ଲା ସଭାପତି ଶ୍ରୀ ଉମାକାନ୍ତ ସାମନ୍ତରାୟ ରଥଯାତ୍ରା ପରିଚାଳନାରେ ବ୍ୟାପକ ତ୍ରୁଟିକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ନିନ୍ଦା କରିଛନ୍ତି ।
