ଆମେରିକା-ଇରାନ ମୁହାଁମୁହିଁ । ଥରୁଛନ୍ତି ଗଲ୍ଫ ଦେଶ । ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଏକ ଭୟଙ୍କର ରୂପ ନେବାରେ ଲାଗିଛି ।ଇରାନର ଯୋଗାଯୋଗ, ସେତୁ, ରେଳଲାଇନ୍ ଏବଂ ବନ୍ଦର ଉପରେ ଆକ୍ରମଣ ଆରମ୍ଭ କରିଛି ଆମେରିକା । ହର୍ମୁଜ ପ୍ରଣାଳୀ ଉପରେ କର୍ତ୍ତୃତ୍ୱ ଜାହିର କରିବାକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ବିବାଦ ଶୁକ୍ରବାର ଦିନ ବ୍ୟାପକ ବିମାନ ଆକ୍ରମଣରେ ପରିଣତ ହୋଇଛି । ଚଳିତ ବର୍ଷ ଫେବୃଆରୀ ଶେଷ ଭାଗରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷ, ଗତ ସପ୍ତାହରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ଯୁଦ୍ଧବିରତି ପ୍ରକ୍ରିୟା ଶେଷ ହେବାର ଘୋଷଣା ପରେ ଉଗ୍ର ରୂପ ଧାରଣ କରିଛି । ଆମେରିକାର ସେନା ପକ୍ଷରୁ ଆକ୍ରମଣରେ ଓମାନ ଉପସାଗରରେ ଥିବା ଚାବାହାର ବନ୍ଦରର କଣ୍ଟ୍ରୋଲ ଟାୱାର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଆମେରିକା ଏହାକୁ ଇରାନର ସାମୁଦ୍ରିକ ନିରୀକ୍ଷଣ କେନ୍ଦ୍ର ବୋଲି ଦାବି କରୁଥିବା ବେଳେ ଇରାନ ଗଣମାଧ୍ୟମ ଏହାକୁ ନାଗରିକ ଭିତ୍ତିଭୂମି ଉପରେ ଆକ୍ରମଣ ବୋଲି ଦର୍ଶାଇଛି। ଏହି ବୋମାମାଡ଼ରେ ପ୍ରାୟ ୮ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା ଇରାନ ଦାବି କରିଛି। ପ୍ରତିଶୋଧ ସ୍ୱରୂପ ଇରାନ ପକ୍ଷରୁ କୁଏତ, ବାହାରିନ ଏବଂ କାତାରରେ ଥିବା ଆମେରିକୀୟ ସାମରିକ ପ୍ରତିଷ୍ଠାନ ଉପରେ ଡ୍ରୋନ୍ ମାଡ଼ କରାଯାଇଛି, ଯାହାଫଳରେ କୁଏତର ଏକ ପ୍ରମୁଖ ପାୱାର ପ୍ଲାଣ୍ଟ ଓ ଜଳ ବିଶୋଧନ କେନ୍ଦ୍ର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି ।
