ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ! ଆଉ ଅର୍ଥ ଅଭାବରୁ ଅଧାରୁ ରହିବନି କ୍ୟାନସର ଚିକିତ୍ସା । ଆୟୁଷ୍ମାନ ଭାରତ ଯୋଜନାରେ ୧୨୧ଟି ନୂଆ ପ୍ୟାକେଜ୍ ସାମିଲ କରି ରାଜ୍ୟର କୋଟି କୋଟି ଜନସାଧାରଣଙ୍କ ପାଇଁ ଆଶାର ନୂଆ କିରଣ ଦେଖାଇଛନ୍ତି ମୋହନ ସରକାର । ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ମେଡିକାଲ ସହ ନର୍ସିଂହୋମଆରୋଗ୍ୟ 2.0 ଆପରେ ଯୋଡି ହେବ। ମେଡିକାଲ ଦୋକାନ ଓ ବ୍ଲଡ ବ୍ୟାଙ୍କକୁ ମଧ୍ୟ ଏଥିରେ ସାମିଲ କରାଯିବ। ଖୁବଶୀଘ୍ର ରାଜ୍ୟରେ ଏହାର ଉଦଘାଟନ କରାଯିବ। ଏବେ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ସାରିଥିବା ବେଳେ ଆଭା ଆଇଡି ସହ ଏହାକୁ ଲିଙ୍କ କରାଯିବ। ଏଥିରେ ସ୍କାନ କରି ଡିଜି ଲକରରେ ରଖି ହେବ। AI ମୋଡରେ ଏଥିରେ ରୋଗୀର ସମସ୍ତ ତଥ୍ୟ ରହିବ। ସେହିପରି ମୁଖ୍ୟମନ୍ତ୍ରୀ କ୍ୟାନ୍ସର ଆରୋଗ୍ୟ ଯୋଜନା ଖୁବଶୀଘ୍ର ଶୁଭାରମ୍ଭ ହେବ। ଚଳିତ ବର୍ଷ ବଜେଟରେ ଏନେଇ ଘୋଷଣା କରାଯାଇଛି। ୧୨୧ ପ୍ରକାର ପ୍ୟାକେଜକୁ ଏଥିରେ ଯୋଡ଼ା ଯିବ। ରାଜ୍ୟ ସରକାର ନିଜସ୍ଵ ବଜେଟରୁ ଏହାକୁ ଖର୍ଚ୍ଚ କରିବେ ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଅନୁଯାୟୀ, ଆୟୁଷ୍ମାନ ଭାରତ ଯୋଜନାରେ କ୍ୟାନସର ଚିକିତ୍ସା ପାଇଁ ନୂଆ ୧୨୧ଟି ପ୍ୟାକେଜ୍ ଯୋଡ଼ିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଉପଲବ୍ଧ ସୁବିଧା ଅପେକ୍ଷା ଏହି ନୂଆ ପ୍ୟାକେଜ୍ ଗୁଡ଼ିକ କର୍କଟ ରୋଗୀଙ୍କ ପାଇଁ ଅଧିକ ସହାୟକ ହେବ। ଏଥିରେ କେମୋଥେରାପି, ରେଡିଓଥେରାପି ଠାରୁ ଆରମ୍ଭ କରି ବିଭିନ୍ନ ଜଟିଳ ଅସ୍ତ୍ରୋପଚାରକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ୱାରା ରୋଗୀମାନେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇପାରିବେ।ଏହି ଯୋଜନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଏହାର ଆର୍ଥିକ ବ୍ୟବସ୍ଥା। ଏହି ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ପାଣ୍ଠିରୁ ଭରଣା କରାଯିବ । ସରକାର କ୍ୟାନସର ଆରୋଗ୍ୟ ଯୋଜନାକୁ ଅଧିକ ବ୍ୟାପକ କରି ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି। ଅନେକ ସମୟରେ ଅର୍ଥ ଅଭାବରୁ ରୋଗୀମାନେ ଅଧାରୁ ଚିକିତ୍ସା ଛାଡ଼ି ଦିଅନ୍ତି, କିନ୍ତୁ ଏହି ନୂଆ ପଦକ୍ଷେପ ପରେ ସେମାନଙ୍କୁ ଆଉ ଚିକିତ୍ସା ପାଇଁ ଘର-ଜମି ବିକିବାକୁ ପଡ଼ିବ ନାହିଁ ।
