୫୯ ବର୍ଷରେ ଏନଏସି ଉଚ୍ଚ ବିଦ୍ୟାଳୟ: ପ୍ରତିଷ୍ଠା ଦିବସ ପାଳିତ ଓ ପ୍ରତିଷ୍ଠାତାଙ୍କୁ ଶ୍ରଦ୍ଧାଞ୍ଜଳି

ନୟାଗଡ଼,(ଓଡ଼ିଶା ଦର୍ପଣ): ସ୍ଥାନୀୟ ଏନଏସି ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ନଗରପାଳ ସ୍ୱର୍ଗତ ରଘୁନାଥ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୁଷ୍ପାଞ୍ଜଳି ଦ୍ୱାରା ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୁଖ୍ୟ ସଭାରେ ଆଲୁମିନି କମିଟି ସଭାପତି ଲକ୍ଷ୍ମୀଧର ମହାପାତ୍ର ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ସ୍ଥାପନା କାଳର ସ୍ମୃତି ଚାରଣ କରିଥିଲେ। ଅନ୍ୟତମ ବକ୍ତା ଭାବେ ଶିକ୍ଷକ ଲକ୍ଷ୍ମୀଧର ସାହୁ ଓ ଶିକ୍ଷୟିତ୍ରୀ ଅନୁସୟା ମିଶ୍ର ଯୋଗଦେଇ ପ୍ରତିଷ୍ଠା ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ।


କାର୍ଯ୍ୟକ୍ରମରେ ଶିକ୍ଷକ ଉମାକାନ୍ତ ମିଶ୍ର,ଭବାନୀ କୁମାରୀ ଆଚାର୍ଯ୍ୟ, ସୌଦାମିନୀ ପ୍ରଧାନ, ନବଜ୍ୟୋତି ମହାପାତ୍ର, ରୋଜାଲିନ ମିଶ୍ର, ସ୍ୱାଗତିକା ଦଳେଇ, ରାଜକିଶୋର ଟୁଡୁ, ଅଶୋକ କୁମାର ମିଶ୍ର ଓ ଇଲାଚା ମାଝୀ ପ୍ରମୁଖ ସାମିଲ ହୋଇ ବିଦ୍ୟାଳୟର ବିକାଶ ଓ ଉତ୍ତରୋତ୍ତର ଉନ୍ନତି କାମନା କରି ବକ୍ତବ୍ୟ ରଖିଥିଲେ। ଶେଷରେ ଶିକ୍ଷୟିତ୍ରୀ ସୁନିତା ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।