ଚାଷୀ କୁ ମିଳୁନି ଆବଶ୍ୟକ ଅନୁଯାୟୀ ସାର ।*କଳାବଜାରୀ ହୋଇଥିବା ନେଇ ଚାଷୀଙ୍କ ଅଭିଯୋଗ

ରାୟଗଡା ତା ୨୨/୦୭ (ନିପ୍ର) ମୌସୁମୀ ଆସିବା ପରେ ରାୟଗଡା ଜିଲ୍ଲାରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି । ହେଲେ ଚାଷି ଏବେ ୟୁରିଆ ସାରକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଜିଲ୍ଲାରେ ଥିବା 14ଟି ଲ୍ୟାମ୍ପସ୍ ରେ ଚାଷି ମାନଙ୍କୁ ନିୟମିତ ସାର ମିଳୁନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଘରୋଇ ବିତରକ ମାନେ ସାରକୁ ଚଢା ଦରରେ ବିକ୍ରି କରୁଛନ୍ତି । ଲ୍ୟାମ୍ପସ୍ ମାନଙ୍କରେ ଦିନକୁ ମାତ୍ର 30 ଜଣ ଚାଷିଙ୍କୁ ଆଧାର କାର୍ଡ ଅନୁସାରେ ସାର ଦିଆଯାଉଥିବା ଯୋଗୁଁ ଦୁରଦୁରାନ୍ତରୁ ରାୟଗଡା ସଦରକୁ ଆସୁଥିବା ଚାଷି ନିରାଷ ହୋଇ ଘରକୁ ଫେରୁଛନ୍ତି । ସେହିପରି ନାନୋ ତରଳ ୟୁରିଆ ସାରକୁ ଚାଷି ମାନଙ୍କ ମୁଣ୍ଡରେ ବାଧ୍ୟତାମୂଳକ ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇଛି ।ରାଜ୍ୟ ସରକାର କହୁଛନ୍ତି ଚଳିତ ବର୍ଷ ସାରର ଶଙ୍କଟ ନାହିଁ । ହେଲେ ଦେଖନ୍ତୁ ଏହି ଦୃଶ୍ୟକୁ । ସାର ପାଇଁ ରାୟଗଡା ଜିଲ୍ଲାରେ ଚାଷି ଠେଲାପେଲା ହେଉଛନ୍ତି । ନିୟମିତ ଭାବେ ଲ୍ୟାମ୍ପସ୍ ଓ ଏମପିସିଏସ୍ ରୁ ୟୁରିଆ ସାର ମୁଳିନଥିବା ବେଳେ ଚାଷିଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିବାରେ ଲାଗିଛି । ଜିଲ୍ଲାର 60 ପ୍ରତିଶତ ସ୍ଥାନରେ ଚାଷ କାମ ଆରମ୍ଭ ହୋଇଥିବା ବେଳେ ତଳି ରୁଆ ମଧ୍ୟ ଶେଷ ହୋଇଛି । ଗଛ ବଢିବା ସହ ବିଭିନ୍ନ ୟୁରିଆ ଓ ରାସାୟନିକ ସାରର ଆବଶ୍ୟକତା ପଡୁଛି । ହେଲେ ଜିଲ୍ଲାର ଲ୍ୟାମ୍ପସ୍ ମାନଙ୍କରେ ଚାଷିଙ୍କୁ ନିୟମିତ ସାର ମିଳୁନି । ଦିନକୁ ମାତ୍ର 30 ଜଣ ଚାଷିଙ୍କୁ ସାର ମିଳୁଥିବା ଯୋଗୁଁ ଘରୋଇ ବିତରକ ମାନେ ଏବେ ମାଲେମାଲ ହୋଇପଡିଛନ୍ତି । 1350 ଟଙ୍କାରେ ମିଳୁଥିବା ଡିଏପି ରାସାୟନିକ ସାରକୁ ଖୁଚୁରା ବିତରକ ମାନେ 15 ଶହ ଟଙ୍କାରେ ବିକ୍ରି କରୁଛନ୍ତି । ଏସବୁ ସାର ପୋଡଶୀ ଆନ୍ଧ୍ର ପ୍ରଦେଶରୁ ଆସୁଥିବା ବେଳେ ସରକାରୀ ସାର ନପାଇ ଚାଷି ମାନେ ବାଧ୍ୟ ହୋଇ ଖୁଚୁରା ଦୋକାନରୁ ଚଢା ଦରରେ କିଣୁଛନ୍ତି । ଲ୍ୟାମ୍ପସ୍ ମାନଙ୍କରେ ତରଳ ନାଇଟ୍ରେଜନ୍ ବା ନାନୋ ସାରକୁ ଚାଷିଙ୍କୁ ନେବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ଘଣ୍ଟା ଘଣ୍ଟା ଧରି ଆଦିବାସୀ ଚାଷି ମାନେ ଲ୍ୟାମ୍ପସ୍ ଆଗରେ ଠିଆ ହୋଇ ସାର ନପାଇ ନିରାଶ ହୋଇ ଫେରୁଥିବା ଲକ୍ଷ୍ୟ କରାଯାଇଛି ।ସରକାରଙ୍କ ନିର୍ଦ୍ଦାରିତ ଦର ଅନୁଯାୟୀ ଜଣେ ଚାଷିଙ୍କୁ 2ବସ୍ତା ୟୁରିଆ,1 ବସ୍ତା ଡିଏପି,ଗୋଟିଏ ମଲ୍ଟିପିକ୍ସ୍ ସାର ଓ ନାନୋ ସାର ମିଳୁଥିବା ବେଳେ ସେତକ ସାର ଜଣେ ଚାଷିଙ୍କ ପାଇଁ ନିୟଣ୍ଟ ହେଉଥିବା ଜଣାପଡିଛି । ଯହାଫଳରେ ଚାଷି ମାନେ ବାଧ୍ୟ ହୋଇ ଖୁଚୁରା ଦୋକନରୁ ଚଢା ଦରରେ ସାର କିଣିବା ପାଇଁ ବାଧ୍ୟ ହେଉଛନ୍ତି । ଜିଲ୍ଲାରେ 14ଟି ଲ୍ୟାମ୍ପସ୍ ଓ ଏମପିସିଏସ୍ ସହ 110 ଜଣ ଘରୋଇ ବିତରକ ମାନେ ସାର ଯୋଗାଇ ଦେଉଥିବା ବେଳେ କିଛି ବିତରକ ଚାଷିଙ୍କୁ ଭୁଆଁ ବୁଲାଇ ଚଢା ଦରରେ ସାର ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଚାଷିଙ୍କ ସମସ୍ୟା ଉପରେ ବିଭାଗ ଅଧିକ ଗୁରୁତ୍ବ ଦିଆଯିବା ସହ କଳାବଜାରୀ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ