ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ଶୀଘ୍ର ଆଇନଗତ ନ୍ୟାୟ ପ୍ରଦାନ ଏବଂ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ଓଡ଼ିଶା ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ନିରୋଧ) ଆଇନ, ୧୯୮୯ ଅଧୀନରେ ଆସୁଥିବା ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ଓ ଦଣ୍ଡବିଧାନ ପାଇଁ ପଦକ୍ଷେପ । ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ହେବ । ଏନେଇ ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ହେମନ୍ତ କୁମାର ଶର୍ମାଙ୍କ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି । ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ସଂଖ୍ୟା ୨୬୩୯୫ ଅନୁଯାୟୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ସୁପାରିଶ ଓ ସହମତି କ୍ରମେ ଏହି କୋର୍ଟଗୁଡ଼ିକ ସ୍ଥାପନ କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ରାଜ୍ୟ ସରକାର ସାମାଜିକ ନ୍ୟାୟ ଓ ଶୋଷିତ ବର୍ଗର ଅଧିକାର ସୁରକ୍ଷା ପାଇଁ ସଂକଳ୍ପବଦ୍ଧତା ପ୍ରଦର୍ଶନ କରିଛନ୍ତି। ଏହି ନୂତନ ସ୍ୱତନ୍ତ୍ର କୋର୍ଟଗୁଡ଼ିକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍-କମ୍-ସ୍ୱତନ୍ତ୍ର କୋର୍ଟ ଭାବେ କାର୍ଯ୍ୟ କରିବେ। ଏଗୁଡ଼ିକ ଭଦ୍ରକ, ଗଞ୍ଜାମ (ବ୍ରହ୍ମପୁର), ଯାଜପୁର, କେନ୍ଦ୍ରାପଡ଼ା, ଓ ପୁରୀ ରାଜସ୍ୱ ଜିଲ୍ଲା ଏବଂ ଖୋର୍ଦ୍ଧା ରାଜସ୍ୱ ସବ-ଡିଭିଜନ୍ ପରିସୀମା ମଧ୍ୟରେ କାର୍ଯ୍ୟକାରୀ ହେବ। ଏହି କୋର୍ଟଗୁଡ଼ିକ ପ୍ରତିଷ୍ଠା ହେବା ଦ୍ୱାରା ବହୁ ଦିନରୁ ପଡ଼ିରହିଥିବା ମାମଲାଗୁଡ଼କର ତ୍ୱରିତ ନିଷ୍ପତ୍ତି ହୋଇପାରିବ।
