ଓଡ଼ିଶା ପୁଲିସ ମୁଖ୍ୟ ୱାଇ ବି ଖୁରାନିଆଙ୍କ ଅବସର ପାଇଁ ଅନୁମତି ଦେଲେ ରାଜ୍ୟ ସରକାର

ଅଗଷ୍ଟ ୧୬ରେ ଡିଜିପି ଖୁରାନିଆଙ୍କ ଅବସର । ରାଜ୍ୟ ସରକାର ତାଙ୍କୁ ଅବସର ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ଖୁରାନିଆ ୨୦୨୬ ମାର୍ଚ୍ଚ ମାସରେ ୬୦ବର୍ଷ ପୂରଣ କରି ସରକାରୀ ଚାକିରିରୁ ଅବସର ନେବାର ଥିଲା । ପୁଲିସ ଡିଜି ଭାବେ ୨ବର୍ଷ କାର୍ଯ୍ୟକାଳ ପୂରଣର ପ୍ରାବଧାନ ପାଇଁ ତାଙ୍କ କାର୍ଯ୍ୟକାଳ ୨୦୨୬ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ବଢ଼ାଇଥିଲେ ରାଜ୍ୟ ସରକାର ।ଖୁରାନିଆ ଓଡ଼ିଶାର ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ ଓ ରାଉରକେଲାରେ ଏସ୍ ପି ଭାବେ କାର୍ଯ୍ୟ କରିଥିବାବେଳେ ଭୁବନେଶ୍ୱର-କଟକ ପୋଲିସ କମିଶନର, ଆଇଜି ଅପରେସନ ଓ ଭିଜିଲାନ୍ସର ସ୍ପେଶାଲ୍ ଡାଇରେକ୍ଟର ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ମଧ୍ୟ ଦାୟିତ୍ୱ ସମ୍ଭାଳିଛନ୍ତି । BSFର ବିଭିନ୍ନ ଉଚ୍ଚ ପଦବୀରେ କାର୍ଯ୍ୟ କରିଥିବା ଖୁରାନିଆ ରାଜ୍ୟପାଳ ପଦକ, ପୋଲିସ ମେଡାଲ୍ ଫର୍ ମେରିଟୋରିଅସ୍ ସର୍ଭିସ୍, ରାଷ୍ଟ୍ରପତି ପୋଲିସ ପଦକ, ଅତି ଉତ୍କୃଷ୍ଟ ସେବା ପଦକ ସହ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।ଗଣମାଧ୍ୟମର ଆକଳନ ଅନୁଯାୟୀ, ଅଗ୍ନିଶମ ଡିଜି ଶ୍ରୀ ଷଡଙ୍ଗୀ ଏବଂ ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ କୋଚେ ଡିଜିପି ରେସ୍‌ରେ ସବୁଠାରୁ ଆଗରେ ଥିବା ବେଳେ ଏଡିଜି ଶ୍ରୀ ପଣ୍ଡା ଓ ଭିଜିଲାନ୍ସ ନିର୍ଦ୍ଦେଶକ ଶ୍ରୀ ଜେଠୱା ମଧ୍ୟ ଦୃଢ଼ ଦାବିଦାର ଭାବେ ଉଭା ହୋଇଛନ୍ତି । ସେପଟେ ଏହି ୧୧ ଜଣଙ୍କର ବ୍ୟକ୍ତିଗତ ତଥ୍ୟ ବା ବାୟୋଡାଟା ଗତ ମାସଠାରୁ ଗୃହ ବିଭାଗ ନେଇଥିଲା । ଏକାଡେମିକ ଆଚିଭମେଣ୍ଟ ସହ ବାୟୋଡାଟାକୁ ରାଜ୍ୟ ସରକାର ୟୁପିଏସ୍ସିକୁ ପଠାଇ ଦେଇଥିଲେ ।

ୟୁପିଏସ୍‌ସି ଗାଇଡ୍‌ଲା ଇନ୍ ଅନୁସାରେ ଡିଜିପି ପାଇଁ ଚାକିରି କାର୍ଯ୍ୟକାଳ ୨୫ରୁ ୩୦ ବର୍ଷ ହୋଇଥିବ । ଚାକିରିକାଳର ଭଲ ରେକର୍ଡ ଏବଂ ଅଭିଜ୍ଞତା ଥିବା ଆବଶ୍ୟକ । ଅବସର ପୂର୍ବରୁ ଅଧିକାରୀଙ୍କର ସେବାର ଅବଶିଷ୍ଟତା ଅତି କମରେ ୬ ମାସ ରହିବା ଆବଶ୍ୟକ । ଏମ୍ପ୍ୟାନେଲମେଣ୍ଟ କମିଟିରେ କେନ୍ଦ୍ର ଗୃହ ସଚିବ, ରାଜ୍ୟର ମୁଖ୍ୟ ସଚିବ ଏବଂ ବର୍ତ୍ତମାନର ଡିଜିପିଙ୍କ ସମେତ ଜଣେ ୟୁପିଏସ୍‌ସି ସଦସ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦ୍ୱାରା ପ୍ୟାନେଲ ଚୟନ କରାଯିବ । ୟୁପିଏସ୍‌ସି ତିନି ଜଣ ଅଧିକାରୀଙ୍କୁ ଚୟନ କରିବେ । ସେମାନଙ୍କ ମଧ୍ୟରୁ ରାଜ୍ୟ ଜଣଙ୍କୁ ନିଯୁକ୍ତ କରିବ । ଆସନ୍ତା ୭ ତାରିଖରେ ଏମ୍ପ୍ୟାନେଲମେଣ୍ଟ କମିଟିରେ ବସିବ ବୋଲି ଜଣାପଡ଼ିଛି ।

ଅଧିକ ପଢନ୍ତୁ