ନିଟ ପ୍ରଶ୍ନପତ୍ର ପ୍ରଘଟ ଓ ପରୀକ୍ଷା ସଂପର୍କିତ ଅପରାଧର ତଦନ୍ତ ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟାସ୍କଫୋର୍ସ । ଏସ୍ଟିଏଫ୍ ଗଠନ କଲା ଦିଲ୍ଲୀ ପୁଲିସ୍ କ୍ରାଇମ୍ବ୍ରାଞ୍ଚ । NTA, UPSC, SSC, RRBs, IBPS ଆଦି ପରୀକ୍ଷାରେ ପେପର୍ ଲିକ୍ କିମ୍ୱା କୌଣସି ଅପରାଧ ସାମ୍ନାକୁ ଆସିଲା ଏହି ସ୍ୱତନ୍ତ୍ର ଟାସ୍କଫୋର୍ସ ତାହାର ତଦନ୍ତ କରିବ । ଦିଲ୍ଲୀ ପୁଲିସର କ୍ରାଇମ୍ବ୍ରାଞ୍ଚ ଡିସିପି ଏହାର ନେତୃତ୍ୱ ନେବେ । କ୍ରାଇମ୍ବ୍ରାଞ୍ଚ ସ୍ପେଶାଲ ସିପି ତତ୍ତ୍ୱାବଧାନ କରିବେ । ଅନ୍ୟପଟେ ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ଜାରି ରହିଛି । ଏହି ସମୟରେ Facial Recognition System ଦ୍ବାରା ହିଂସା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି । ଜନ୍ତର ମନ୍ତରରେ ପ୍ରତିବାଦରେ ଅପରାଧିକ ପୃଷ୍ଠଭୂମି ଥିବା ୨,୫୦୦ ରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ କରୁଛନ୍ତି । ଏହି ଅପରାଧୀମାନେ ଭିଡ଼ରୁ ବାହାରି ପୋଲିସକୁ ଟାର୍ଗେଟ କରୁଛନ୍ତି । ଛୁରି ଏବଂ ଧାରୁଆ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରୁଥିବା ଦେଖାଯାଇଛି ।
ଏହା ଉଲ୍ଲେଖନୀୟ ଯେ ୨୦ ଜୁଲାଇରେ ଘଟିଥିବା ହିଂସା ପରେ ଦିଲ୍ଲୀ ପୋଲିସ ଜନ୍ତର ମନ୍ତରରେ Facial Recognition System ସ୍ଥାପନ କରିଥିଲା। ଗତ ତିନି ଦିନ ମଧ୍ୟରେ ୨୧, ୨୨ ଏବଂ ୨୩ ଜୁଲାଇରେ ୨୫୦୦ରୁ ଅଧିକ ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯାଇଛି । ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ ହିଂସା ସମ୍ପର୍କରେ ମୋଟ ୧୫ ଟି ଏଫଆଇଆର ପଞ୍ଜିକୃତ କରିଛି ।ସେହିପରି ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସରକାରଙ୍କ ବଡ଼ ଆକ୍ସନ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏର ୪୭ ଜଣ ଅଧିକାରୀଙ୍କୁ ଚାକିରିରୁ ବିଦା କରିଛି ଶିକ୍ଷା ବିଭାଗ । ଏଥିମଧ୍ୟରୁ କେତେକ ଅଧିକାରୀଙ୍କ ବିରୋଧରେ ଆଇନଗତ ଓ ଆପରାଧିକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। ଏହାସହ ପ୍ରଶ୍ନପତ୍ର ଲିକ୍ ବିବାଦରେ ଛନ୍ଦି ହୋଇଥିବା ଏନଟିଏରେ ସଂସ୍କାର ଆଣିବା ପାଇଁ ଆଗକୁ ଅନେକ ବଡ଼ ପଦକ୍ଷେପ ନିଆଯିବ। ମିଳିଥିବା ସୂତ୍ର ଅନୁସାରେ, ସରକାର ଏଜେନ୍ସିର ଢାଞ୍ଚାରେ ବ୍ୟାପକ ସୁଧାର ଆଣିବାକୁ ଯାଉଛନ୍ତି। ମାସକ ମଧ୍ୟରେ ଏନଟିଏର ପୁନର୍ଗଠନ କରାଯିବାର ସମ୍ଭାବନା ରହିଛି।
