ଶୁକ୍ରବାର ଦିନ କମର୍ସିଆଲ ଜାହାଜ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା ବିଦେଶ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।ଜାହାଜରେ ମୋଟ ୧୦ ଜଣ କ୍ରୁ ସଦସ୍ୟ ଥିଲେ, ସେମାନଙ୍କ ମଧ୍ୟରୁ ୩ ଜଣ ଭାରତୀୟ ଥିଲେ ।ଅନ୍ୟ ୨ ଜଣ ସୁରକ୍ଷିତ ଅଛନ୍ତି । କମର୍ସିଆଲ ଜାହାଜ MV OMORFI ଜୁଲାଇ ୧୮ ତାରିଖ ଦିନ ବ୍ଲାକ୍ ସି’କୁ ପରିବହନ କରୁଥିଲା । ସେହି ସମୟରେ ଋଷିଆ ଆଞ୍ଚଳିକ ଜଳସୀମା ମଧ୍ୟରେ ଏହି ଆକ୍ରମଣ ହୋଇଥିଲା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ।ସେପଟେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛି ବିଦେଶ ମନ୍ତ୍ରଣାଳୟ । ଏଥିସହ ନିରୀହ ବାଣିଜ୍ୟିକ ଜାହାଜ ଓ କ୍ରୁ ସଦସ୍ୟଙ୍କୁ ଟାର୍ଗେଟ୍ କରି ହେଉଥିବା ଆକ୍ରମଣକୁ ଭାରତ କଡ଼ା ନିନ୍ଦା କରିଛି । ଏପରି ଘଟଣା ସମୁଦ୍ର ନୌଚଳାଚଳର ସୁରକ୍ଷା ଓ ଆନ୍ତର୍ଜାତିକ ବାଣିଜ୍ୟର ସ୍ୱାଧୀନତା ପାଇଁ ବଡ଼ ବିପଦ ସୃଷ୍ଟି କରୁଥିବା ବିଦେଶ ମନ୍ତ୍ରାଳୟ କହିଛି ।ଅନ୍ୟପଟେ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ରୁଷରେ ଥିବା ଭାରତୀୟ ମିଶନ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିବା ସହ ପ୍ରଭାବିତ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇବାକୁ ଚେଷ୍ଟା କରୁଛି ।
