ଆଜି ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ସୃଷ୍ଟି ହେଲା ଗଭୀର ଅବପାତ । ଅବପାତ ଅଧିକ ଘନୀଭୂତ ହୋଇ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଅପରାହ୍ନ ସୁଦ୍ଧା ଏହି ଗଭୀର ଅବପାତ ବାଲେଶ୍ୱର ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୩ କିଲୋମିଟର ବେଗରେ ଧୀରେ ଧୀରେ ଉତ୍ତର ଆଡ଼କୁ ଗତି କରି ଅଧିକ ଘନୀଭୂତ ହୋଇଛି । ସାଗର ଦ୍ୱୀପଠାରୁ ପ୍ରାୟ ୪୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ଥିଲା । ଉପକୂଳ ଆଡ଼କୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଗଭୀର ଅବପାତ ଆଜି ପୂର୍ବାହ୍ନରୁ ମଧ୍ୟାହ୍ନ ମଧ୍ୟରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିପାରେ ।
ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବର୍ଷା ହେବା ସହ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ ବିକ୍ଷିପ୍ତ ଭାବେ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ପ୍ରବଳ ବର୍ଷା ଆଶଙ୍କାରେ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଞ୍ଜରେ ସବୁ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି।
