ଆଗ୍ରିଷ୍ଟାକ୍ ନଥିଲେ ବିକି ପାରିବେ ଧାନ

ଖରିଫ ଧାନ ସଂଗ୍ରହ ଋତୁ ୨୦୨୬-୨୭ ପାଇଁ ଚାଷୀ ପଞ୍ଜିକରଣକୁ ନେଇ ଆସିଛି ବଡ଼ ଖବର । ଆଗ୍ରିଷ୍ଟାକ୍ ପଞ୍ଜିକରଣ ବର୍ତ୍ତମାନ ଚାଷୀଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ । ଆଗ୍ରିଷ୍ଟାକ୍ ପଞ୍ଜିକରଣ ନଥିଲେ ବି କୌଣସି ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହେବେ ନାହିଁ । ଏନେଇ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ସ୍ପଷ୍ଟ କରାଯାଇଛି ।ଆସନ୍ତା ଅକ୍ଟୋବର ମାସ ପର୍ଯ୍ୟନ୍ତ ପଞ୍ଜିକରଣ ଅବଧି ଜାରି ରହିଛି।ଆଗ୍ରିଷ୍ଟାକ ଏକ ସମ୍ୱନ୍ୱିତ କୃଷକ ପ୍ଲାଟଫର୍ମ ଯେଉଁଥିରେ ଚାଷୀଙ୍କ ସମସ୍ତ ତଥ୍ୟ ଏକୀକୃତ ହୋଇ ରହିବ। ଏଥିରେ ଚାଷୀ ନିଜକୁ ପଞ୍ଜିକୃତ କରିବା ଦ୍ୱାରା ନିଜର ଏକ ଅନନ୍ୟ ଫାର୍ମର ଆଇଡି ପାଇବେ। ସରକାରଙ୍କ ତରଫରୁ ଚାଷୀଙ୍କୁ ଯୋଗାଇ ଦିଆଯାଉଥିବା ସମସ୍ତ ସୁବିଧାର ଲାଭ ସୁଗମ ରୂପେ ପାଇପାରିବେ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୬ ଲକ୍ଷ ଚାଷୀ ଏହି ଅଧୀନରେ ନିଜକୁ ପଞ୍ଜିକୃତ କରାଇ ସାରିଛନ୍ତି।ସେହିପରି ଭାଗଚାଷୀଙ୍କ ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତି ଚାଲିଛି। ସମ୍ଭାବ୍ୟ ସମସ୍ୟା ଓ ଏହାର ନିଖୁଣ ସମାଧାନ କରିବା ପାଇଁ ସରକାର ଚେଷ୍ଟାରତ ଅଛନ୍ତି।ଖରିଫ ୨୦୨୬-୨୭ ପାଇଁ ଏପର୍ଯ୍ୟନ୍ତ ୯୪ ହଜାର ୬୫୭ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିସାରିଛନ୍ତି । ଏଥିରେ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ପଞ୍ଜିକରଣ ହୋଇଛି । ଚାଷୀଙ୍କୁ ପଞ୍ଜିକରଣରେ ସହଯୋଗ କରିବା ପାଇଁ ଭିଏଡବ୍ଲୁମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଜିକରଣ ପରେ ଚାଷୀଙ୍କୁ ରସିଦ ଦେବାକୁ ମଧ୍ୟ କୁହାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବର୍ତ୍ତମାନ ଦୁଇ ପ୍ରକାରର ଚାଷୀ ପଞ୍ଜିକରଣ ପ୍ରାପ୍ତିପତ୍ର ଦିଆଯାଉଛି । ଆଗ୍ରିଷ୍ଟାକ୍ ପଞ୍ଜିକୃତ ଚାଷୀଙ୍କ ପ୍ରାପ୍ତିପତ୍ର ଏବଂ ବିନା ଆଗ୍ରିଷ୍ଟାକ୍ ପଞ୍ଜିକୃତ ଚାଷୀଙ୍କ ପ୍ରାପ୍ତିପତ୍ର । ଉଭୟ ପ୍ରାପ୍ତିପତ୍ର ବୈଧ ଅଟେ ।

ଅନ୍ୟପଟେ, ରବି ଋତୁ ୨୦୨୫-୨୬ରେ ୩ ଲକ୍ଷ ୬୩ ହଜାର ୫୫୩ ଜଣ ଚାଷୀଙ୍କଠାରୁ ୨୦ ଲକ୍ଷ ୪୬ ହଜାର ୧୮୫ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି । ଯାହା ୨୦୨୪-୨୫ରେ ସଂଗୃହୀତ ୧୯ ଲକ୍ଷ ୧୮ ହଜାର ୫୨୮ ମେଟ୍ରିକ୍ ଟନ୍ ତୁଳନାରେ ଅଧିକ । ରବି ଋତୁରେ ଏପର୍ଯ୍ୟନ୍ତ ୩ ଲକ୍ଷ ୬୩ ହଜାର ୧୪୯ ଜଣ ଚାଷୀଙ୍କୁ ଏମଏସପି ଓ ଇନପୁଟ୍ ସହାୟତା ବାବଦରେ ୪ ହଜାର ୮୪୪ କୋଟି ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟର କୌଣସି ଚାଷୀ ଯେପରି ଧାନ ବିକ୍ରିରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି କମିଟି ପକ୍ଷରୁ କୁହାଯାଇଛି ।

ଅଧିକ ପଢନ୍ତୁ