ଆମେରିକାରେ ୧୯ ବର୍ଷୀୟା ଯୁବତୀଙ୍କୁ ହତ୍ୟା ଅଭିଯୋଗରେ ଭାରତୀୟ ଯୁବକ ଗିରଫ। ଆମେରିକାର ଆରିଜୋନାରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା। ହତ୍ୟା ପରେ ଆମେରିକାରୁ ଖସି ପଳାଇବା ବେଳେ ଧରାପଡ଼ିଛନ୍ତି ଅଭିଯୁକ୍ତ। ତାଙ୍କର ନାଁ ବରୁଣ ବାଚିଗାରୀ।ଅଭିଯୋଗ ଅନୁସାରେ, ଆରିଜୋନାର ଟକ୍ସନ୍ରେ ଘଟଣା ଘଟିବା ପରେ ସନ୍ଦିଗ୍ଧ ଆମେରିକା ଛାଡ଼ି ଜର୍ମାନୀ ଯାଇଥିଲେ ଏବଂ ସେଠାରୁ ଭାରତ ଫେରିବାକୁ ଯୋଜନା କରୁଥିଲେ । ମୃତ ଯୁବତୀଙ୍କ ନାମ ଜୁଲିସା ରୁବି ସାଲାଜାର । ସେ ୟୁନିଭର୍ସିଟି ଅଫ୍ ଆରିଜୋନାର ଛାତ୍ରୀ ଥିଲେ । ପରିବାର ପକ୍ଷରୁ ଚିନ୍ତା ପ୍ରକାଶ କରାଯିବା ପରେ ପୋଲିସ ତାଙ୍କ ଆପାର୍ଟମେଣ୍ଟରେ ୱେଲଫେୟାର ଚେକ୍ କରିଥିଲା । ସେଠାରେ ଜୁଲିସାଙ୍କୁ ମୃତ ଅବସ୍ଥାରେ ମିଳିଥିଲା । ତାଙ୍କ ଶରୀରରେ ଆଘାତର ଚିହ୍ନ ମଧ୍ୟ ଥିବା ପୁଲିସ କହିଛି । ତଦନ୍ତ ଆଗକୁ ବଢ଼ିବା ପରେ ଜୁଲିସାଙ୍କ ବୟଫ୍ରେଣ୍ଡ ବରୁଣ ବାଚିଗାରୀ ପୋଲିସର ସନ୍ଦେହ ଘେରକୁ ଆସିଥିଲେ। ଆମେରିକୀୟ ମିଡିଆ ରିପୋର୍ଟ ଅନୁସାରେ, ତଦନ୍ତକାରୀମାନେ ସନ୍ଦେହ କରୁଛନ୍ତି ଯେ ବରୁଣ ଜୁଲିସାଙ୍କ ଫୋନ୍ ଏବଂ କ୍ରେଡିଟ୍ କାର୍ଡ ନେଇଯାଇଥିଲେ। ଏପରିକି ଜୁଲିସାଙ୍କ ମାଆଙ୍କ ନିକଟକୁ ତାଙ୍କ ଫୋନରୁ ଅନେକ ମେସେଜ୍ ମଧ୍ୟ ପଠାଯାଇଥିଲେ।
ପୋଲିସ ଓ ଫେଡେରାଲ ଏଜେନ୍ସିଙ୍କ ତଦନ୍ତ ଅନୁସାରେ, ବରୁଣ ପ୍ରଥମେ ଟକ୍ସନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିଥିଲେ। ସେଠାରୁ ହ୍ୟୁଷ୍ଟନ୍ ଯାଇଥିଲେ। ପରେ ହ୍ୟୁଷ୍ଟନରୁ ବର୍ଲିନ୍, ଜର୍ମାନୀ ଅଭିମୁଖେ ବିମାନ ଧରିଥିଲେ। ତାଙ୍କ ଗତିବିଧିକୁ ଟ୍ରାକ୍ କରିଥିଲେ ଆମେରିକୀୟ ଅଧିକାରୀ। ଶେଷରେ ବରୁଣଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଥିଲା। ବର୍ଲିନରେ ପହଞ୍ଚିବା ପରେ ତାଙ୍କୁ ହେପାଜତକୁ ନିଆଯାଇଛି।ରିପୋର୍ଟ ଅନୁସାରେ, ଏବେ ଅଭିଯୁକ୍ତଙ୍କୁ ଆରିଜୋନାକୁ ପ୍ରତ୍ୟର୍ପଣ କରାଯିବାର ପ୍ରକ୍ରିୟା ଆଗକୁ ବଢ଼ିପାରେ । ସେଠାରେ ତାଙ୍କ ବିରୋଧରେ ହତ୍ୟା ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ । ଏହି ଘଟଣାକୁ ନେଇ ଆହୁରି କିଛି ଗୁରୁତର ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ଜୁଲିସା ଏହି ସମ୍ପର୍କରୁ ବାହାରି ଆସିବାକୁ ଚାହୁଁଥିଲେ । ତାଙ୍କୁ ଶାରୀରିକ ନିର୍ଯାତନା ଓ ଯୌନ ଆକ୍ରମଣର ଅଭିଯୋଗ ମଧ୍ୟ ଥିବା କୁହାଯାଇଛି ।ଘଟଣାର ଗୋଟିଏ ଦିନ ପୂର୍ବରୁ ତାଙ୍କ ରୁମ୍ରୁ ଚିତ୍କାର ଶୁଣାଯାଇଥିବା ନେଇ ମଧ୍ୟ ରିପୋର୍ଟ ରହିଛି । ଏପଟେ ବରୁଣଙ୍କ ପୂର୍ବ ରେକର୍ଡକୁ ନେଇ ମଧ୍ୟ ତଦନ୍ତ ଚାଲିଛି । ସେ ୟୁନିଭର୍ସିଟି ଅଫ୍ ଆରିଜୋନାରେ ବିଜନେସ୍ ଆନାଲିଟିକ୍ସ ପଢ଼ୁଥିଲେ । ମାରପିଟ୍ ଘଟଣା ପରେ ତାଙ୍କୁ ୟୁନିଭର୍ସିଟିରୁ ବହିଷ୍କାର କରାଯାଇଥିବା ଏବଂ ତାଙ୍କ ବିରୋଧରେ ଘରୋଇ ହିଂସା ସମ୍ପର୍କିତ ଅଭିଯୋଗ ଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି । ତେବେ ଏହି ସବୁ ପରିସ୍ଥିତି ହତ୍ୟାର କାରଣ ଥିଲା କି ନାହିଁ, ତାହା ଅଧିକାରୀମାନେ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି । ଏହି ଘଟଣାର କିଛି ସମୟ ପୂର୍ବରୁ ବରୁଣ ଚାକିରି ମଧ୍ୟ ହରାଇଥିବା ଜଣାପଡ଼ିଛି। ଫଳରେ ଭଡ଼ା ଦେବାରେ ତାଙ୍କ ସମସ୍ୟା ହେଉଥିଲା। ଏପରିକି ତାଙ୍କ ଇମିଗ୍ରେସନ୍ ଷ୍ଟାଟସ୍ ମଧ୍ୟ ବିପଦରେ ପଡ଼ିଥିଲା ବୋଲି ରିପୋର୍ଟରେ କୁହାଯାଇଛି।
