ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲର ସଭାପତି ଗାଙ୍ଗୁଲି ତାଙ୍କ କୋଲକାତା କାର୍ଯ୍ୟାଳୟରେ ଏହି ଧମକପୂର୍ଣ୍ଣ ଚିଠି ପାଇଛନ୍ତି। ଏହି ଧମକ କେବଳ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀଙ୍କୁ ନୁହେଁ ବରଂ ତାଙ୍କ ସହିତ କାମ କରୁଥିବା ସମସ୍ତଙ୍କୁ ମଧ୍ୟ ମିଳିଛି।ପ୍ରାୟ ୬ ମାସ ଧରି ଧମକ ଆସୁଥିବା ଅଭିଯୋଗ ହୋଇଥିବା ବେଳେ ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ କରିଛି କୋଲକାତାର ଠାକୁରପୁକୁର ପୁଲିସ ।ଧମକପୂର୍ଣ୍ଣ ଚିଠି କିଏ ପଠାଇଛି, କେଉଁଠାରୁ ଆସିଛି ଏବଂ ଏହା ପଛରେ କାହାର ହାତ ରହିଛି—ସେନେଇ ତଦନ୍ତ ଚାଲିଛି । ଚିଠିର ଉତ୍ସ ଓ ଏହା ସହ ଜଡ଼ିତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ବିଭିନ୍ନ ଦିଗରୁ ଖୋଳତାଡ଼ କରୁଛି ।ସୌରଭ ଗାଙ୍ଗୁଲି ପ୍ରଥମ ଭାରତୀୟ କ୍ରିକେଟର ନୁହଁନ୍ତି ଯିଏ ହତ୍ୟା ଧମକ ପାଇଥିଲେ। ଗତ ବର୍ଷ ହିଁ ଷ୍ଟାର ବ୍ୟାଟସମ୍ୟାନ ରିଙ୍କୁ ସିଂହଙ୍କୁ ଅଣ୍ଡରୱାଲର୍ଡରୁ ହତ୍ୟା ଧମକ ଏବଂ ଦାଦାବଟି ଦାବି କରାଯାଇଥିଲା। ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ମଧ୍ୟ ଏପରି ଧମକର ସମ୍ମୁଖୀନ ହୋଇଛନ୍ତି, ନିଜକୁ ISIS କଶ୍ମୀର ବୋଲି ପରିଚୟ ଦେଉଥିବା ଏକ ଗୋଷ୍ଠୀରୁ ସେ ଏହି ଧମକ ପାଇଛନ୍ତି।ଗାଙ୍ଗୁଲିଙ୍କୁ ପୂର୍ବରୁ ୨୦୧୭ରେ ହତ୍ୟା ଧମକ ମିଳିଥିଲା। ଏହି ଘଟଣା ତାଙ୍କ ଏକ କ୍ରିକେଟ ଇଭେଣ୍ଟରେ ଯୋଗ ଦେବାକୁ ମନା କରିବା ସହିତ ଜଡିତ ବୋଲି କୁହାଯାଉଛି। ପୂର୍ବରୁ ଏମ ଏସ ଧୋନି, ରାହୁଲ ଦ୍ରାବିଡ ଏବଂ ମହମ୍ମଦ ଶାମିଙ୍କୁ ମଧ୍ୟ ହତ୍ୟା ଧମକ ମିଳିଛି।
