ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ପରି ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ ଗାନରେ ଜାଣିଶୁଣି ବାଧା ଦେବା କିମ୍ବା ଏହାକୁ ଗାଇବାରୁ ରୋକିବାକୁ ଅପରାଧ ଭାବେ ବିବେଚନା କରୁଥିବା ଏକ ବିଲ୍କୁ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରି ଦେଇଛନ୍ତି। ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ‘The Prevention of Insults to National Honour (Amendment) Bill, 2026’ ଏବେ ଆଇନରେ ପରିଣତ ହୋଇଛି। ଲୋକସଭାରେ ଜୁଲାଇ ୩୦ ତାରିଖରେ ଏହି ବିଲ୍ ପାରିତ ହୋଇଥିବା ବେଳେ ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଜୁଲାଇ ୨୯ରେ ରାଜ୍ୟସଭା ଏହାକୁ ଅନୁମୋଦନ କରିଥିଲା।ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ‘ବନ୍ଦେ ମାତରମ୍’ ଭାରତର ସ୍ୱାଧୀନତା ସଂଗ୍ରାମ ସହ ଗଭୀର ଭାବେ ଜଡ଼ିତ। ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଏହି ଗୀତ ରଚନା କରିଥିଲେ। ଏହା ପ୍ରଥମେ ତାଙ୍କ ‘ଆନନ୍ଦମଠ’ ଉପନ୍ୟାସରେ ପ୍ରକାଶ ପାଇଥିଲା। ସ୍ୱାଧୀନତା ଆନ୍ଦୋଳନ ସମୟରେ ଏହା ଦେଶଭକ୍ତିର ପ୍ରମୁଖ ପ୍ରତୀକ ଭାବେ ଲୋକପ୍ରିୟ ହୋଇଥିଲା। ଚଳିତବର୍ଷ ‘ବନ୍ଦେ ମାତରମ୍’ ରଚନାର ୧୫୦ ବର୍ଷ ପୂରଣ ହୋଇଥିବାରୁ ଏହାର ବିଶେଷ ଗୁରୁତ୍ୱ ରହିଛି। ସ୍ୱାଧୀନତା ଦିବସ ପୂର୍ବରୁ ଏହି ଆଇନ ଲାଗୁ ହେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ମତରେ ଜାତୀୟ ସଙ୍ଗୀତ ଓ ଜାତୀୟ ଗୀତ ପ୍ରତି ସମ୍ମାନ ଓ ମର୍ଯ୍ୟାଦା ସୁନିଶ୍ଚିତ କରିବା ଏହି ସଂଶୋଧନର ପ୍ରମୁଖ ଉଦ୍ଦେଶ୍ୟ।
