ଓଡ଼ିଶାର ଗ୍ରାମୀଣ ବିକାଶକୁ ନେଇ କେନ୍ଦ୍ର କୃଷି ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ ଆଲୋଚନା କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ।ବୈଠକରେ ଗ୍ରାମୀଣ ଆବାସ ସହ ରୋଜଗାର, ରାସ୍ତାଘାଟ, ଭିତ୍ତିଭୂମି ବିକାଶ ଏବଂ ମହିଳା ସଶକ୍ତିକରଣ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଓଡ଼ିଶାର ଗ୍ରାମୀଣ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ରୀୟ ଯୋଜନାଗୁଡ଼ିକର ଠିକ୍ ରୂପାୟଣ ଏବଂ ଅଧିକ ଅନୁଦାନ ଉପରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି।ଏନେଇ ମନ୍ତ୍ରୀ ରବି ନାୟକ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଓଡ଼ିଶାରେ ବଡ଼ ଧରଣର ସର୍ଭେ କରାଯାଇଛି। ରାଜ୍ୟରେ ପ୍ରାୟ ୩୭ ଲକ୍ଷ ୫୦ ହଜାର ପରିବାରଙ୍କ ସର୍ଭେ ସରିଛି। ପୂର୍ବରୁ ତାଲିକାରେ ସାମିଲ ହୋଇନପାରି ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଯୋଗ୍ୟ ପରିବାରଙ୍କୁ ଚିହ୍ନଟ କରିବା ଏହି ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ। ଏବେ ସର୍ଭେ ତାଲିକାର ଫିଜିକାଲ ଯାଞ୍ଚ ବା ସ୍କ୍ରୁଟିନି ଚାଲିଛି। ଅଧିକାରୀମାନେ ଘରକୁ ଘର ଯାଇ ହିତାଧିକାରୀଙ୍କ ତଥ୍ୟ ଯାଞ୍ଚ କରୁଛନ୍ତି। ଆସନ୍ତା ଅଗଷ୍ଟ ୨୭ ସୁଦ୍ଧା ଏହି ଯାଞ୍ଚ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରହିଛି।ଯାଞ୍ଚ ପରେ ଯୋଗ୍ୟ ହିତାଧିକାରୀଙ୍କ ଅଧିକୃତ ତାଲିକା କେନ୍ଦ୍ର ସରକାରଙ୍କୁ ପଠାଯିବ। ଏହାପରେ ଓଡ଼ିଶା ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ହେବାର ଆଶା ରହିଛି।
