ରାଜ୍ୟରେ ଗୋଟିଏ ପରେ ଗୋଟିଏ ବନ୍ୟା ଓ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଆଗକୁ ପୁଣି ବର୍ଷା ଓ ଲଘୁଚାପର ସମ୍ଭାବନା ଥିବାରୁ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି । ତେବେ କୃଷି, ସମବାୟ ଓ ପଶୁସମ୍ପଦ ବିଭାଗ ଦ୍ୱାରା ବନ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ସ୍ୱତନ୍ତ୍ର ପ୍ୟାକେଜ । ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତି ନେଇ ଆକଳନ ଚାଲିଛି । ବନ୍ୟାରେ କ୍ଷୟକ୍ଷତି ବାବଦରେ ଆଜି ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ ବୈଠକରେ ଆଲୋଚନା ହେବ । କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ ଆସିବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।ଗତ ୧୫ ଦିନ ମଧ୍ୟରେ ରାଜ୍ୟର ୨୪ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି । ରିପୋର୍ଟ ଅନୁଯାୟୀ, ୨୪ ଜିଲ୍ଲାର ୧୫୪ଟି ବ୍ଲକ୍ ଅଧୀନରେ ୮୭୯ଟି ଗ୍ରାମ ପଞ୍ଚାୟତ ଏବଂ ୨,୮୫୫ଟି ଗାଁ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି । ସହରାଞ୍ଚଳର ୨୦୯ଟି ୱାର୍ଡରେ ପ୍ରାୟ ୧୩ ଲକ୍ଷ ୭୧ ହଜାର ୩୩୮ ଜଣ ଲୋକ ପ୍ରଭାବିତ ହୋଇଛନ୍ତି ।ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ୩୬୬ଟି ଗାଁରୁ ପର୍ଯ୍ୟାୟକ୍ରମେ ୭ ଲକ୍ଷ ୨୨ ହଜାର ୭୩୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୭୮୩ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଥିବା ବେଳେ ଏଠାରେ ୭ ଲକ୍ଷ ୨୬ ହଜାର ୪୪୧ ଜଣ ଲୋକଙ୍କୁ ସହାୟତା ଯୋଗାଇ ଦିଆଯାଇଛି। ୩୧ଟି ସ୍ଥାନରେ ପଶୁସମ୍ପଦକୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।ବନ୍ୟା ପ୍ରଭାବିତଙ୍କୁ ୯୦.୫ କ୍ୱିଣ୍ଟାଲ ଚାଉଳ, ୩୫୬.୩ କିଲୋଗ୍ରାମ ଗୁଡ଼ ଏବଂ ୮,୭୦୮ଟି ପଲିଥିନ ଯୋଗାଇ ଦିଆଯାଇଛି । ବିଭିନ୍ନ ଜିଲ୍ଲାକୁ ରିଲିଫ୍ କାର୍ଯ୍ୟ ପାଇଁ ୧୧୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଆଉ ୨୬ କୋଟି ଟଙ୍କାର ଅତିରିକ୍ତ ସହାୟତା ଯୋଗାଇ ଦିଆଯାଇଛି । ଏପର୍ଯ୍ୟନ୍ତ ୭୯ ହଜାର ୮୨୪ ହେକ୍ଟର ଚାଷ ଜମି ଏବଂ ୫,୦୪୪ଟି ଘର କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଇଛି। କିଛି ଜିଲ୍ଲାରୁ ପୂର୍ଣ୍ଣାଙ୍ଗ କ୍ଷୟକ୍ଷତି ରିପୋର୍ଟ ଆସିଥିବା ବେଳେ ଅନ୍ୟ ଜିଲ୍ଲାର ରିପୋର୍ଟ ଆସିବା ପରେ ମୋଟ କ୍ଷୟକ୍ଷତିର ଚିତ୍ର ସ୍ପଷ୍ଟ ହେବ ।
