ମାଲକାନଗିରି ଜିଲ୍ଲା ବାଲିମେଳା ବନାଞ୍ଚଳ ଅନ୍ତର୍ଗତ ଚିତାପାରି-୩ ପଞ୍ଚାୟତର ଏମଭି-୧୦୪ ଗାଁରେ ପୋଖରୀରେ ପଶିଥିବା କୁମ୍ଭୀରକୁ ଆଜି ବନ ବିଭାଗ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। କୁମ୍ଭୀରଟି ୯୦ରୁ ଅଧିକ ହଂସ ସହ ପୋଖରୀର ବହୁ ମାଛ ଖାଇଥିବା ନେଇ ଅଭିଯୋଗ ହୋଇଥିଲା ।
ବନ ବିଭାଗର ରାପିଡ ରେସପନ୍ସ ଟିମ ଘଟଣା ସ୍ଥଳରେ ପହଞ୍ଚି କୁମ୍ଭୀରକୁ ସୁରକ୍ଷିତ ଭାବେ ଧରିବା ପାଇଁ ଅପରେସନ ଆରମ୍ଭ କରିଥିଲା । ଦୁଇ ଦିନ ଧରି ନାକେଦମ ହେବା ପରେ ଶେଷରେ ବନ ବିଭାଗ କୁମ୍ଭୀରଟିକୁ ଧରିବାରେ ସଫଳ ହୋଇଛି । କୁମ୍ଭୀର କୁ ଧରି ରାପିଡ ରେସପନ୍ସ ଟିମ ମାଲକାନଗିରି ଡିଏଫଓ କାର୍ଯ୍ୟାଳୟକୁ ଆସିଛନ୍ତି । ଉଦ୍ଧାର ହୋଇଥିବା କୁମ୍ଭୀରର ଲମ୍ବ ପ୍ରାୟ ୪ ଫୁଟ ହୋଇଥିବା ବେଳେ ଏହାର ବୟସ ପ୍ରାୟ ଅଢ଼େଇ ବର୍ଷ ବୋଲି ଜଣାପଡ଼ିଛି। ଏହା ବଉଳା ପ୍ରଜାତିର କୁମ୍ଭୀର ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।ସ୍ୱାସ୍ଥ୍ୟ ପରିକ୍ଷା ପରେ କୁମ୍ଭୀରଟି କୁ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଛଡାଯିବ।
