ଓଡ଼ିଶା DGP ଚୟନ ବିବାଦ, ଆଜି ସୁପ୍ରିମକୋର୍ଟରେ ଉଠିପାରେ ପ୍ରସଙ୍ଗ

ଓଡ଼ିଶାରେ ପୋଲିସ ଡିଜି ନିଯୁକ୍ତି ନେଇ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି। ଉଚ୍ଚତମ ନ୍ୟାୟାଳୟରେ ଦାୟର ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ହେବ। ଆଜି ପିଟିସନରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି। ପୋଲିସ ସଂସ୍କାର ସଂକ୍ରାନ୍ତ ଐତିହାସିକ ‘ପ୍ରକାଶ ସିଂହ’ ମାମଲା ଆଜି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ୩ ଜଣିଆ ଖଣ୍ଡପୀଠରେ ତାଲିକାଭୁକ୍ତ ହୋଇଛି । ସୁପ୍ରିମକୋର୍ଟର ଆଜି ଦୈନିକ କାର୍ଯ୍ୟତାଲିକା ଅନୁସାରେ, ପ୍ରକାଶ ସିଂହ ଓ Others. vs Union of India ମାମଲାଟି ପ୍ରଧାନ ବିଚାରପତିଙ୍କ କୋର୍ଟରେ ଆଇଟମ୍ ନମ୍ବର ୨୬ ଭାବେ ରହିଛି । ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ସକାଳ ୧୦ଟା ୩୦ରେ ବସିବ । ଓଡ଼ିଶାର ପରବର୍ତ୍ତୀ DGP ନିଯୁକ୍ତି ପ୍ରକ୍ରିୟାକୁ ନେଇ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରି ଜରୁରୀ ଶୁଣାଣି ପାଇଁ ମୌଖିକ ଭାବେ ଅନୁରୋଧ କରିଥିଲେ। ଏହି ପୃଷ୍ଠଭୂମିରେ ଆଜି ‘ପ୍ରକାଶ ସିଂହ’ ମାମଲାର ଲିଷ୍ଟିଂ ଓଡ଼ିଶା ପାଇଁ ବିଶେଷ ଗୁରୁତ୍ୱ ବହନ କରୁଛି । DGP ଚୟନ ପାଇଁ ରାଜ୍ୟ ସରକାର ଯୋଗ୍ୟ ବରିଷ୍ଠ IPS ଅଧିକାରୀଙ୍କ ନାଁ UPSCକୁ ପଠାଇଥିଲେ। ତେବେ ପୂର୍ବରୁ ନିର୍ଦ୍ଧାରିତ UPSC ଏମ୍ପାନେଲମେଣ୍ଟ ପ୍ରକ୍ରିୟା ପୂର୍ବରୁ ରାଜ୍ୟର ପ୍ରସ୍ତାବ ପ୍ରତ୍ୟାହାରକୁ ନେଇ ପ୍ରଶ୍ନ ଉଠିଛି । ଏହି ପ୍ରକ୍ରିୟା ମାଧ୍ୟମରେ ଜଣେ ତୁଳନାତ୍ମକ ଭାବେ ଜୁନିୟର ADGP ପାହ୍ୟାର ଅଧିକାରୀଙ୍କୁ DGP ପାହ୍ୟାକୁ ପଦୋନ୍ନତି ଦେଇ ପରବର୍ତ୍ତୀ ଚୟନ ପ୍ରକ୍ରିୟାରେ ସାମିଲ କରିବା ପାଇଁ ବାଟ ଖୋଲାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି । ତେବେ ଏହା କେବଳ ଅଭିଯୋଗ। ଏ ସମ୍ପର୍କରେ ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟ କୌଣସି ନିଷ୍କର୍ଷରେ ପହଞ୍ଚିନାହାନ୍ତି । ସେପଟେ ଆଜି ବସିବାକୁ ଥିବା ୟୁପିଏସସି ବୈଠକରେ ଚୂଡ଼ାନ୍ତ ହୋଇପାରେ ୩ ଜଣଙ୍କ ନାଁ। ଏହି ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ କରିବାକୁ ସୁପାରିଶ କରିବ ୟୁପିଏସସି ଏବଂ ସରକାର ତାମଧ୍ୟରୁ ଜଣଙ୍କୁ ଚୟନ କରିବେ।

ଅଧିକ ପଢନ୍ତୁ