ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦୀର୍ଘମିଆଦି ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ସରକାର ପଦକ୍ଷେପ

ରାଜ୍ୟରେ ଦିନକୁ ଦିନ ଖରାପ ହେଉଛି ବାୟୁମାନ । ଏକ କି ଦୁଇଟି ନୁହେଁ, ରାଜ୍ୟର ଏକାଧିକ ସହରରେ ଏକ୍ୟୁଆଇ ୩୦୦ ପାର କରୁଥିବା ଚିନ୍ତାର କାରଣ ପାଲଟିଛି । ବିଶେଷକରି ଭୁବନେଶ୍ୱର, କଟକ, ବାଲେଶ୍ୱର, ଯାଜପୁର, ଅନୁଗୁଳ, ରାଉରକେଲା ଓ ତାଳଚେର ଭଳି ସହରରେ ପ୍ରଦୂଷଣ ସ୍ଥିତି ଗୁରୁତର ହେଉଛି ।ଏଭଳି ସ୍ଥିତିରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦୀର୍ଘମିଆଦି ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି ।ଓଡ଼ିଶାର ଶିଳ୍ପାଞ୍ଚଳଗୁଡ଼ିକରେ ଖଣି ଖନନ, ଶିଳ୍ପ ପ୍ରତିଷ୍ଠାନ, ନିର୍ମାଣ କାର୍ଯ୍ୟ ଓ ଯାନବାହନ ଚଳାଚଳ ଯୋଗୁଁ ବାୟୁ ପ୍ରଦୂଷଣ ବଢ଼ୁଥିବା କୁହାଯାଉଛି । ଏହାସହ ସହରର ରାସ୍ତାରେ ଧୂଳି, ନିର୍ମାଣ ସାମଗ୍ରୀରୁ ଉଡ଼ୁଥିବା ଧୂଳି ଏବଂ ଅନ୍ୟାନ୍ୟ ଉତ୍ସ ମଧ୍ୟ ପ୍ରଦୂଷଣ ବୃଦ୍ଧିରେ ଭୂମିକା ନେଉଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ କହିଛନ୍ତି, “ରାଜ୍ୟର କିଛି ଜିଲ୍ଲାରେ ପ୍ରଦୂଷଣ ମାତ୍ରା ବଢିଛି । ତାହାକୁ କମେଇବା ପାଇଁ ଏକ ସରକାରୀ ସ୍ତରରେ ଆଲୋଚନା ହୋଇଛି । ଏହା ସହିତ ପରିବହନ ବିଭାଗ ଓ ଗ୍ରାମ ଉନ୍ନୟନ ବିଭାଗ ସହିତ ଆଲୋଚନା ମଧ୍ୟ କରାଯାଇଛି । ସେହି ଜିଲ୍ଲା ଗୁଡିକରେ କେତେ ପରିବହନ ହେଉଛି ? କେତେ ପ୍ରଦୂଷଣ ହେଉଛି ? ସେନେଇ ନଜର ଦିଆଯିବ । ସେହି ତୁଳନାରେ ଏଆଇ ମାଧ୍ୟମରେ ଏହାକୁ କିଭଳି କଣ୍ଟ୍ରୋଲ କରାଯିବ ସେନେଇ ମାଷ୍ଟର ପ୍ଳାନ ପ୍ରସ୍ତୁତି କରାଯିବ ।”୨୦୧୮ରେ ରାଜ୍ୟର ୭ଟି ସହର ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଥିଲା । ତଥାପି ଆଶାନୁରୂପ ପ୍ରଦୂଷଣ ନିୟନ୍ତ୍ରଣ ହୋଇପାରିନଥିବାରୁ ଏବେ ପୁଣି ଦୀର୍ଘମିଆଦି ଯୋଜନା ଉପରେ ଜୋର ଦିଆଯାଉଛି ।

ଅଧିକ ପଢନ୍ତୁ