ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଆସିଲା ଦୁଃଖଦ ଖବର । ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ହୋଇଛି । ୮୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଓଡ଼ିଆ ସଙ୍ଗୀତ ଜଗତରେ ତାଙ୍କର ଥିଲା ସ୍ୱତନ୍ତ୍ର ପରିଚୟ । ନିଜର ମଧୁର କଣ୍ଠ ଓ ଅନନ୍ୟ ଗାୟନ ଶୈଳୀରେ ସେ ଶ୍ରୋତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ସେ ୨ଶହରୁ ଅଧିକ ସଂଗୀତରେ କଣ୍ଠଦାନ କରିଛନ୍ତି । ୧୯୩୮ ଜାନୁଆରୀ ୨୦ରେ ପ୍ରଣବ ଜନ୍ମଗ୍ରହଣ କରିଥିଲେ। ୧୯୫୮ ‘ମା’ ଚଳଚ୍ଚିତ୍ରରେ ସେ ପ୍ରଥମେ କଣ୍ଠଦାନ କରି ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଓଡ଼ିଶୀ, ଭଜନ, ପାରମ୍ପରିକ ଲୋକଗୀତ ଗାଇବାରେ ପ୍ରଣବଙ୍କର ଭିନ୍ନ ଏକ ପରିଚୟ ଥିଲା। ନିଜ କଣ୍ଠସ୍ବରରେ ସେ ଶ୍ରୋତାଙ୍କୁ ବାନ୍ଧି ରଖିପାରୁଥିଲେ। ୨୦୧୬ରେ ସେ ‘ଜୟଦେବ ସମ୍ମାନ’ରେ ସମ୍ମାନିତ ହୋଇଥିଲେ। ‘ମାଝିରେ ଠୁ’ଠାରୁ ‘ନିଝୁମ ରାତି’ ଭଳି ଅନେକ ଲୋକପ୍ରିୟ ଗୀତ ତାଙ୍କ କଣ୍ଠରେ ଜୀବନ୍ତ ହୋଇଥିଲା ।
