ଏବେ ପୁଣି ତିନି ତିନିଟା ଘୂର୍ଣ୍ଣିବଳୟ। ଗୋଟିଏ ରହିଛି ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ । କେନ୍ଦ୍ରୀୟ ମିଆଁମାର ଉପରେ ରହିଛି ଆଉ ଏକ ଘୂର୍ଣ୍ଣିବଳୟ । ସେହିପରି ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଉପରେ ବି ରହିଛି ଏକ ଘୂର୍ଣ୍ଣିବଳୟ । ଅପରପକ୍ଷରେ ପୂର୍ବ ମଧ୍ୟପ୍ରଦେଶ ଉପରେ ଲଘୁଚାପ ବି ଅଛି। ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ଥିବା ଘୂର୍ଣ୍ଣିବଳୟ ସେତେ ପ୍ରଭାବୀ ହେବା ସମ୍ଭାବନା କମ୍ । ହେଲେ ମିଆଁମାର ଉପରେ ଥିବା ଘୂର୍ଣ୍ଣିବଳୟ ଓ ବାଂଲାଦେଶ ନିକଟରେ ଥିବା ଘୂର୍ଣ୍ଣିବଳୟ ମିଶି ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି କରିପାରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ । ସମ୍ଭବତଃ ୨୩ ତାରିଖବେଳକୁ ଏହା ଲଘୁଚାପ ରୂପ ନେଇପାରେ । ଏହା ପ୍ରଭାବରେ ଓଡ଼ିଶାରେ ୨୨ ତାରିଖ ରାତିରୁ ବର୍ଷା ଆରମ୍ଭ ହେବା ସମ୍ଭାବନା ଅଛି । କିନ୍ତୁ, ୨୩ରୁ ୨୫ ଯାଏ ପ୍ରବଳ ବର୍ଷା ହୋଇପାରେ । ବିଶେଷ କରି ଉତ୍ତର ଓଡ଼ିଶା ଏବଂ ଉପକୂଳ ଅଞ୍ଚଳରେ ହିଁ ଏହା ଅଧିକ ବର୍ଷା କରାଇବା ସମ୍ଭାବନା ଅଛି । ପୁଣି ଥରେ ଉତ୍ତର ଓଡ଼ିଶାକୁ ବଡ଼ ବର୍ଷା ଆଶଙ୍କା ବଢ଼ିଛି । ଆଜି ପ୍ରବଳ ବର୍ଷା ପାଇଁ କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି । ସେହିପରି ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା, ରାସ୍ତାଘାଟରେ ପାଣି ଜମିବା ଏବଂ ଯାତାୟାତରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି । ନଦୀନାଳ ନିକଟରେ ରହୁଥିବା ଲୋକେ ବିଶେଷ ସତର୍କ ରହିବା ସହ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଉପରେ ନଜର ରଖିବା ଆବଶ୍ୟକ ।
