ଶିକ୍ଷାନୁଷ୍ଠାନ ଦ୍ୱାରା ନିର୍ଦ୍ଧାରିତ ଡ୍ରେସ କୋଡକୁ ନିଜର ବ୍ୟକ୍ତିଗତ ପସନ୍ଦ ଅନୁଯାୟୀ ବଦଳାଇବା କୌଣସି ଛାତ୍ରଛାତ୍ରୀଙ୍କ ଅଧିକାର ନୁହେଁ ବୋଲି ଆଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କରିଛନ୍ତି ।ପ୍ରୟାଗରାଜର ଟାଗୋର ପବ୍ଲିକ୍ ସ୍କୁଲର ଜଣେ ମୁସଲିମ୍ ଛାତ୍ରୀଙ୍କ ଆବେଦନକୁ ଆଲ୍ଲାହାବାଦ ହାଇକୋର୍ଟ ଖାରଜ କରିଛନ୍ତି। ସ୍କୁଲ୍ ଡ୍ରେସ୍ କୋଡ୍କୁ ନେଇ ଛାତ୍ରୀ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଛାତ୍ରୀ ଜଣକ ସ୍କୁଲ ୟୁନିଫର୍ମ ରେ ହିଜାବ ଅନୁମତିକୁ ନେଇ ଯୁକ୍ତି ବାଢି ଥିଲେ Iବିଚାରପତି ଜେ.ଜେ. ମୁନିର ଏବଂ ବିଚାରପତି ଇନ୍ଦ୍ରଜିତ୍ ଶୁକ୍ଲାଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି ଯେ, ସ୍କୁଲର ଅନ୍ୟ କୌଣସି ଛାତ୍ରୀ, ଏପରିକି ସମ୍ପୃକ୍ତ ଧର୍ମର ଅନ୍ୟ ପିଲାମାନେ ମଧ୍ୟ ହେଡସ୍କାର୍ଫ ପିନ୍ଧୁନାହାନ୍ତି। ଏଥିସହିତ ହେଡସ୍କାର୍ଫ ପିନ୍ଧିବା ଇସଲାମ ଧର୍ମର ଏକ ଅପରିହାର୍ଯ୍ୟ ଅଂଶ ନୁହେଁ ବୋଲି ଦର୍ଶାଇ କୋର୍ଟ ଏହି ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଶିକ୍ଷାନୁଷ୍ଠାନର ୟୁନିଫର୍ମ କୋଡ୍ ସମସ୍ତଙ୍କ ପାଇଁ ସମାନ, ନିରପେକ୍ଷ ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ଲାଗୁ କରାଯାଇଥିଲେ, ସେଠାରେ ଅନୁଷ୍ଠାନର ନିଜସ୍ୱ ନିୟମାବଳୀ କାର୍ଯ୍ୟକାରୀ କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି ବୋଲି ଏହି ରାୟରେ କୁହାଯାଇଛି।କୋର୍ଟ ସ୍ପଷ୍ଟ କରିଛନ୍ତି ଯେ କୌଣସି ବେସରକାରୀ ଶିକ୍ଷାନୁଷ୍ଠାନର ନିଜ ପରିସର ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଡ୍ରେସ କୋଡ୍ ଲାଗୁ କରିବାର ପୂର୍ଣ୍ଣ ଅଧିକାର ରହିଛି। ସମସ୍ତଙ୍କ ପାଇଁ ସମାନ ନିୟମ ଥିବାବେଳେ ବ୍ୟକ୍ତିଗତ ପସନ୍ଦ ଅନୁସାରେ ଏଥିରେ ପରିବର୍ତ୍ତନ କରିବାକୁ ଅନୁମତି ଦେଲେ ”ୟୁନିଫର୍ମ” ବା ସମାନତାର ମୂଳ ଉଦ୍ଦେଶ୍ୟ ହିଁ ବ୍ୟାହତ ହେବ।ତେବେ ସ୍କୁଲ୍ ୟୁନିଫର୍ମ ନିୟମ ଓ ଧାର୍ମିକ ପୋଷାକ ସମ୍ପର୍କିତ ଏହି ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟ ଆଗାମୀ ଦିନରେ ଏହିପରି ବିବାଦ ଉପରେ ଆଇନଗତ ଚର୍ଚ୍ଚାକୁ ପ୍ରଭାବିତ କରିପାରେ।
