ଥାର୍ କିଣା ଦୁର୍ନୀତିରେ ଭିଜିଲାନ୍ସ ତଦନ୍ତ, ୫୧ ଗାଡ଼ି କିଣାର ହେବ ପୁଙ୍ଖାନୁପୁଙ୍ଖ ଯାଞ୍ଚ: ମନ୍ତ୍ରୀ

ଥାର୍ ଗାଡ଼ି କିଣାରେ ଅନିୟମିତତା ଅଭିଯୋଗକୁ ନେଇ ଏବେ ଆକ୍ସନ ମୋଡରେ ରାଜ୍ୟ ସରକାର ।ଓଡ଼ିଶା ବନ ବିଭାଗ ପକ୍ଷରୁ ୫୧ଟି ମହିନ୍ଦ୍ରା ଥାର୍‌ ଗାଡ଼ି କିଣା ଓ କଷ୍ଟମାଇଜେସନ୍‌ରେ ପ୍ରାୟ ୧୨ କୋଟି ଟଙ୍କାର ଅନିୟମିତତା ଅଭିଯୋଗର ତଦନ୍ତ ଚାଲିଛି । ତେବେ ଏହି ମାମଲାର ତଦନ୍ତ କ୍ରାଇମ୍‌ ବ୍ରାଞ୍ଚ ନୁହେଁ, ଭିଜିଲାନ୍ସ ବିଭାଗ କରୁଥିବା ନେଇ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।ଗଣମାଧ୍ୟମରେ ତଥ୍ୟ ଦେବା ସମୟରେ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଏହି ମାମଲାର ତଦନ୍ତ କ୍ରାଇମ୍‌ ବ୍ରାଞ୍ଚ କରୁଥିବା କହିଥିଲେ । ଏହା ଏକ ଅନିଚ୍ଛାକୃତ ଭୁଲ୍‌ ବୋଲି ମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଛି ।ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ୫୧ଟି ମହିନ୍ଦ୍ରା ଥାର୍‌ କିଣା ଓ କଷ୍ଟମାଇଜେସନ୍‌ ସମ୍ପର୍କିତ ଅନିୟମିତତା ଅଭିଯୋଗର ତଦନ୍ତ ଭିଜିଲାନ୍ସ ବିଭାଗ ହିଁ କରୁଛି । ଏହି ତଦନ୍ତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ନିରପେକ୍ଷତା ବଜାୟ ରହିବ ବୋଲି ସରକାର ପକ୍ଷରୁ କୁହାଯାଇଛି । ତଦନ୍ତ ସମୟରେ ଯଦି କୌଣସି ଅନିୟମିତତା କିମ୍ବା ଦୋଷ ପ୍ରମାଣିତ ହୁଏ, ତେବେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଛି ।

ଅଧିକ ପଢନ୍ତୁ