ରାକ୍ଷୀ ବିଜ୍ଞାପନକୁ ନେଇ ବିବାଦରେ ଫସିଲେ କ୍ରିତି ସାନନ, କଙ୍ଗନାଙ୍କ ଟାର୍ଗେଟ୍

ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ ନେଇ ଅଭିନେତ୍ରୀ କ୍ରିତି ସାନନ ବିବାଦରେ ଫସିଛନ୍ତି। ଏହି ବିଜ୍ଞାପନ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଆସୁଛି।ବିଜ୍ଞାପନରେ କ୍ରିତି ନିଜ ଭାଇଙ୍କ ସହ ରକ୍ଷାବନ୍ଧନ ପାଳନ କରୁଥିବା ଦେଖାଯାଇଛି। ଏହାପରେ ସେ ନିଜ ପୋଷା କୁକୁରକୁ ମଧ୍ୟ ରାକ୍ଷୀ ବାନ୍ଧୁଛନ୍ତି। କିଛି ଲୋକଙ୍କୁ ଏହି ଅନ୍ଦାଜ ପସନ୍ଦ ଆସିଥିବା ବେଳେ ଅନେକ ୟୁଜର କ୍ରିତିଙ୍କ ପୋଷାକ, ପୂଜା ଥାଳି ନଥିବା ଏବଂ ପର୍ବକୁ ଦେଖାଯାଇଥିବା ଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କ୍ରିତି ସାନନ GIVAର ରକ୍ଷାବନ୍ଧନ କ୍ୟାମ୍ପେନରେ ଅଫ-ହୱାଇଟ ବ୍ରାଲେଟ ଷ୍ଟାଇଲ ବ୍ଲାଉଜ, କେପ ଏବଂ ଡ୍ରେପ୍ଡ ସ୍କର୍ଟରେ ନଜର ଆସିଛନ୍ତି। ବାସ୍ତବରେ ଏଠାରେ ବିବାଦର ମୁଖ୍ୟ କାରଣ ହେଉଛି ପାରମ୍ପରିକ ପର୍ବକୁ ଆଧୁନିକ ଶୈଳୀରେ ଦେଖାଇବା। ଯାହାକୁ ବିଜ୍ଞାପନ ନିର୍ମାତାମାନେ ସାଧାରଣ ଭାବେ ନେଇଛନ୍ତି, ତାହା ଏବେ ସୋସିଆଲ ମିଡିଆରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି।ଏହି ବିବାଦରେ ଏବେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ। ଯଦିଓ ସେ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ କୃତିଙ୍କ ନାଁ ନେଇନାହାନ୍ତି, ତାଙ୍କ ମନ୍ତବ୍ୟ ଏହି ବିଜ୍ଞାପନକୁ ନେଇ ଚାଲିଥିବା ବିବାଦକୁ ଇଙ୍ଗିତ କରୁଛି।

କଙ୍ଗନା କହିଛନ୍ତି, ଆଜିର ମହିଳାଙ୍କ ପାଖରେ କକଟେଲ୍ ଡ୍ରେସ୍‌ଠାରୁ ଲେହେଙ୍ଗା, ଜିନ୍ସଠାରୁ ଶାଢ଼ି ଏବଂ ବିକିନିଠାରୁ ସଲୱାର କମିଜ୍ ପର୍ଯ୍ୟନ୍ତ ଅନେକ ପୋଷାକର ବିକଳ୍ପ ରହିଛି। ତେବେ ଭାଇଙ୍କୁ ରାକ୍ଷୀ ବାନ୍ଧିବା ସମୟରେ ବିକିନି ବା ଅନ୍ତଃବସ୍ତ୍ର ଭଳି ପୋଷାକ କାହିଁକି ବାଛିବାକୁ ପଡ଼ିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାସହ କଙ୍ଗନା ଏହି ବିଜ୍ଞାପନକୁ ‘ଇଣ୍ଟେନ୍ସନାଲି କ୍ରିପି’ ବା ଜାଣିଶୁଣି ଅସ୍ୱସ୍ତିକର ଭାବେ ତିଆରି କରାଯାଇଥିବା ବୋଲି ମଧ୍ୟ କହିଛନ୍ତି।

ଅଧିକ ପଢନ୍ତୁ