ଉତ୍ତର ପ୍ରଦେଶର କାନପୁରରେ ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି। ଗଙ୍ଗା ବ୍ୟାରେଜ ନିକଟରେ ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।ଏହି ଦୁର୍ଘଟଣାରେ ଜଣେ ପାଇଲଟ ଓ କୋ-ପାଇଲଟଙ୍କ ମୃତ୍ୟୁ ହୋଇଛି । କାନପୁରସ୍ଥିତ ଗଙ୍ଗା ବ୍ୟାରେଜ୍ ନିକଟବର୍ତ୍ତୀ ନତ୍ ଥୁ ପୁରୱା ଗାଁ ନିକଟରେ ଏହି ପ୍ରଶିକ୍ଷଣ ବିମାନଟି ତଳକୁ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ଦୁଇଜଣଙ୍କ ମଧ୍ୟରୁ ଜଣେ ପାଇଲଟ୍ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଅନ୍ୟ ଜଣେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।ଘଟଣା ପରେ ଘଟଣାସ୍ଥଳରେ ଗ୍ରାମବାସୀଙ୍କ ଏକ ବଡ଼ ଭିଡ଼ ଜମା ହୋଇଥିଲା। ରିପୋର୍ଟରୁ ଜଣାପଡିଛି ଯେ, ପାଇଲଟ ସଚିନ ଭାଟିଆ ଗୁଜରାଟର ଥିଲେ। ସହ-ପାଇଲଟ ଅଭିଷେକ କର୍ନାଟକର ଥିଲେ। ଦୁର୍ଘଟଣା ପ୍ରାୟ ୧୧.୫୦ ସମୟରେ ଘଟିଥିଲା। ବିମାନଟି ଚାରି ଆସନ ବିଶିଷ୍ଟ ଥିଲା।ଉଡ଼ାଣ ସମୟରେ ବିମାନଟି ହଠାତ୍ ଅନିୟନ୍ତ୍ରିତ ହୋଇ ଖସିପଡିଥିଲା । ଦୁର୍ଘଟଣା ପରେ ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଜାରି ରଖିଛି । ଦୁର୍ଘଟଣା କିଭଳି ହେଲା ତାହାର ଯାଞ୍ଚ ଚାଲିଛି ।
