ହଠାତ୍ ଆସିଲା ଆଉ ଆଖି ପିଛୁଳାକେ ସବୁ କିଛି ଶେଷ ହୋଇଗଲା। କିଏ କିଛି ବୁଝିବା ଆଗରୁ ପ୍ରକୃତିର କରାଳ ରୂପରେ ସବୁ କିଛି ହଜି ଯାଇଥିଲା। ନେପାଳରେ ଜଳ ପ୍ରଳୟରେ ଦୃଶ୍ୟ ଖୁବ୍ ହୃଦୟବିଦାରକ। ତେବେ ଭାରତ ବିଦେଶ ମନ୍ତ୍ରାଳୟ (ଏମଇଏ) ଗୁରୁବାର କହିଛନ୍ତି ଯେ ଦୁଇ ଦେଶଙ୍କ ହିମାଳୟ ସୀମାବର୍ତ୍ତି ଅଞ୍ଚଳରେ ଭୀଷଣ ବନ୍ୟା ପରେ ନେପାଳରେ ଅନୁନ୍ୟ ୨୮୮ ଜଣ ଭାରତୀୟ ନାଗରିକ ନିଖୋଜ ଅଛନ୍ତି ଓ ବାକି ୨୦୦ ଲୋକେ ଚୀନ୍ ରେ ଫଶି ରହିଛନ୍ତି। ଏମଇଏ କହିଛନ୍ତି ଯେ ନିଖୋଜ ଲୋକଙ୍କ ମଧ୍ୟରେ ପର୍ଯ୍ୟଟକ ଓ ନେପାଳରେ କାମ କରୁଥିବା ଭାରତୀୟ ଅଛନ୍ତି। ଏହା ଛଡା ମନ୍ତ୍ରାଳୟ ଏହା ବି କହିଛନ୍ତି ଯେ ତାମିଲନାଡୁର ୨୧ ଜଣ ଭାରତୀୟ ନାଗରିକଙ୍କୁ ନେପାଳରେ ଉଦ୍ଧାର କରାଯାଇଛି। ଏମାନେ କୈଳାଶ ମାନସରୋବର ଯାତ୍ରାରେ ଯାଇଥିଲେ।ମୁଖପାତ୍ର କହିଛନ୍ତି, ଭାରତ ଦୁଇଟି ବିମାନ ମାଧ୍ୟମରେ ନେପାଳକୁ ରିଲିଫ ଏବଂ ଉଦ୍ଧାର ସାମଗ୍ରୀ ପଠାଇଛି। ପ୍ରାରମ୍ଭିକ ଭାବରେ ୧୦ ଟନ ରିଲିଫ ସାମଗ୍ରୀ ପଠାଯାଇଥିଲା। ୩୭.୫ ଟନ ରିଲିଫ ସାମଗ୍ରୀ ବହନ କରି ଦ୍ୱିତୀୟ ବିମାନ ଆଜି ସକାଳେ ପ୍ରସ୍ଥାନ କରିଛି। ଏଥିରେ ୮ ଟନ ଔଷଧ ସାମିଲ ଅଛି। ବୈଦେଶିକ ମନ୍ତ୍ରଣାଳୟରେ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି।
