କଂଗ୍ରେସ ସାଂସଦ ଶଶି ଥରୁର ନେପାଳରେ ବିନାଶକାରୀ ବନ୍ୟା ପରେ ଭାରତର ତ୍ୱରିତ ସହାୟତାକୁ ସ୍ୱାଗତ କରିଛନ୍ତି। ତେବେ ସେ ଭାରତୀୟ ମିଡିଆକୁ ସଚେତନ କରି ୨୦୧୫ ଭୂମିକମ୍ପ କାଳରେ କଭରେଜରେ କରିଥିବା ଭୁଲର ଯେପରି ପୁନରାବୃତ୍ତି ନ କରେ ସେଥି ପାଇଁ ସତର୍କ କରିଛନ୍ତି। ତେବେ ପଡ଼ୋଶୀ ଦେଶକୁ ସହାୟତା ପ୍ରଦାନ ସମୟରେ ଭାରତୀୟ ଗଣମାଧ୍ୟମ ‘ଅହଂକାର’ ପ୍ରଦର୍ଶନ ନ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି । ୨୦୧୫ରେ ନେପାଳରେ ହୋଇଥିବା ଭୟଙ୍କର ଭୂମିକମ୍ପ ପରେ ଭାରତ-ନେପାଳ ସମ୍ପର୍କ ତିକ୍ତ ହୋଇଥିଲା । ସେତେବେଳେ ଭାରତୀୟ ଗଣମାଧ୍ୟମରେ ଭାରତର ରିଲିଫ୍ ସହାୟତାର ବ୍ୟାପକ ପ୍ରଚାର ନେପାଳୀ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ କ୍ରୋଧ ସୃଷ୍ଟି କରିଥିଲା ।ସେତେବେଳେ ଗଣମାଧ୍ୟମର ଏପରି ପ୍ରସାରଣକୁ ନିନ୍ଦା କରି ଥରୁର କହିଥିଲେ ଯେ, ଯେଉଁମାନେ ସଙ୍କଟରେ ଅଛନ୍ତି ଓ ସାହାୟତା ପାଉଛନ୍ତି, ସେମାନଙ୍କୁ ସାହାଯ୍ୟ କରୁଥିବା ଲୋକେ ଏହାର ପ୍ରଚାର କରିବା ଆବଶ୍ୟକ ନାହିଁ । ଏଥର ମଧ୍ୟ ନେପାଳ ପ୍ରତି ଭାରତର ମନୋଭାବରେ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇ ଥରୁର କହିଛନ୍ତି ଯେ, ନୂଆଦିଲ୍ଲୀ ନେପାଳକୁ ଏକ ସାର୍ବଭୌମ ଓ ସମାନ ଦେଶ ଭାବେ ବ୍ୟବହାର କରିବା ଅତ୍ୟନ୍ତ ଜରୁରୀ ।। ମୋର ବିଶ୍ୱାସ ଆହୁରି ସହାୟତା କରାଯିବ। ଯାହା ବି ଜରୁରି ଭାରତ ସରକାର କରିବେ। ଆମେ ନେପାଳର ନିକଟତମ ପଡ଼ୋଶୀ ଓ ନେପାଳ ସହ ଆମେ ଏକଜୁଟ ଭାବେ ଛିଡା ହୋଇଛେ। ଏହା ହିଁ ବଡ଼ କଥା ବୋଲି ଥରୁର କହିଛନ୍ତି।
