ଜାହାଜ ଏମଭି ଓସେନ୍ ଓ୍ବିନର ବୁଡ଼ିବା ଘଟଣାରେ ଉଦ୍ଧାର ହୋଇଥିବା ୨ କ୍ରୁ ସଦସ୍ୟଙ୍କ ଠାରୁ ମିଳିଛି ବଡ଼ ସୂଚନା। ଭାଷା ଅନୁବାଦକଙ୍କ ମାଧ୍ୟମରେ ଅଧିକାରୀଙ୍କ ସାମ୍ନାରେ ବଡ଼ ଖୁଲାସା କରିଛନ୍ତି ଏହି କ୍ରୁ ସଦସ୍ୟ। ମିଳିଥିବା ସୂଚନା ଅନୁସାରେ, ଏହି ୨ କ୍ରୁ ମେମ୍ବର ଭାଷା ଅନୁବାଦକଙ୍କ ମାଧ୍ୟମରେ କହିଛନ୍ତି ଯେ, ଜାହାଜରେ ୨୪ କ୍ରୁ ମେମ୍ବର ଥିଲେ। ଜାହାଜଟି ପାରାଦୀପ ଠାରୁ ୨୩୦ ନଟିକାଲ ମାଇଲ ଦୂରରେ ହଠାତ୍ ବୁଡ଼ିବା ଆରମ୍ଭ କରିଥିଲା। ବୁଡ଼ିବାର ମୁଖ୍ୟ କାରଣ ହେଉଛି ସମୁଦ୍ରରେ ଉଚ୍ଚ ରୋଲିଂ ବା ଉଚ୍ଚ ତରଙ୍ଗ। ସେମାନଙ୍କ ଅନୁସାରେ ଏହା ଯୋଗୁ ଜାହାଜ ଭାରସାମ୍ୟ ରକ୍ଷା କରି ପାରିନଥିଲା। ଆଉ ଗୋଟିଏ ପଟକୁ ଢଳିବା ସହ ଖୁବ୍ କମ୍ ସମୟ ମଧ୍ୟରେ ବୁଡ଼ିଯାଇଥିଲା। ଫଳରେ ମାତ୍ର ୧୦ ଜଣ କ୍ରୁ ସଦସ୍ୟ ହିଁ ବାହାରକୁ ଆସି ପାରିଥିଲେ। ହେଲେ ୧୪ ଜଣ ଜାହାଜ ଭିତରେ ହିଁ ରହିଯାଇଥିଲେ।’ଆମେ ଦୁଇ ଜଣ ଜାହାଜରୁ ଡେଇଁବା ପରେ ପାଖାପାଖି ୨୦ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ରରେ ଭାସୁଥିଲୁ ପରେ ଭାରତ ଆସୁଥିବା ଏକ ତୈଳ ଜାହାଜ ଉଦ୍ଧାର କରି କୋଷ୍ଟଗାର୍ଡର ଜାହାଜ “ଭରଦ”କୁ ହସ୍ତାନ୍ତର କରିଥିଲା’ ବୋଲି କହିଛନ୍ତି ଏହି ଦୁଇ ଚୀନ ନାଗରିକ। ତେବେ ବିଭାଗୀୟ ଅଧିକାରୀମାନଙ୍କ ଠାରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଏପର୍ଯ୍ୟନ୍ତ ଦିଆଯାଇନାହିଁ।କିନ୍ତୁ ଏବେ ବି ପଚରାଉଚରା ଜାରି ରହିଥିବା ସୂଚନା ମିଳିଛି tebe ଏହି ପଚରାଉଚରା ପ୍ରକ୍ରିୟାରେ ପୋଲିସ, କୋଷ୍ଟଗାର୍ଡ, ଇମିଗ୍ରେସନ୍ ବିଭାଗ, ପାରାଦୀପ ପୋର୍ଟ ଅଧିକାରୀ, ସର୍ଭେୟର ଏବଂ ବୀମା କମ୍ପାନୀର ପ୍ରତିନିଧିଙ୍କ ସମେତ ବିଭିନ୍ନ ସଂସ୍ଥାର ଅଧିକାରୀମାନେ ସାମିଲ ହୋଇପାରନ୍ତି।
