ଦିଲ୍ଲୀରେ ୧୬ ବର୍ଷୀୟା ଝିଅକୁ ୪୭ କିଲୋମିଟର ଦୂରତା ଚଳନ୍ତା ବସରେ ବଳାତ୍କାର

‘ନିର୍ଭୟା ମାମଲା’କୁ ମନେ ପକାଇବା ଭଳି ଏକ ୧୬ ବର୍ଷୀୟା ଛାତ୍ରୀଙ୍କ ସହିତ ବଳାତ୍କାର ମାମଲା ରାଜଧାନୀ ଦିଲ୍ଲୀରେ ପୁଣି ଥରେ ସାମ୍ନାକୁ ଆସିଛି। ଚଳନ୍ତା ବସ ଭିତରେ ପୀଡିତାଙ୍କୁ ବଳାତ୍କାର କରିବା ପରେ, ଡ୍ରାଇଭର ଏବଂ କଣ୍ଡକ୍ଟର ତାଙ୍କୁ କଶ୍ମୀର ଗେଟ ନିକଟରେ ରିଙ୍ଗ ରୋଡରେ ଛାଡି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପୀଡିତାଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, କଶ୍ମୀର ଗେଟ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି | ଘଟଣାଟି ଅଗଷ୍ଟ ୪ ତାରିଖ ରାତିରେ ଘଟିଥିବା ଅଭିଯୋଗ ହୋଇଛି । ପୀଡ଼ିତା ଉତ୍ତରପ୍ରଦେଶର ମୈନପୁରୀ ଜିଲ୍ଲାର ବାସିନ୍ଦା ଏବଂ ସେ ଏକାଦଶ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡ଼ିଛି ।

ପୋଲିସ କହିବା ଅନୁସାରେ, ଛାତ୍ରୀ ଜଣକ ଘର ଲୋକଙ୍କୁ ନ ଜଣାଇ ନୋଏଡାରେ ରହୁଥିବା ଜଣେ ସଂପର୍କୀୟ ଭାଇଙ୍କ ଘରକୁ ଯାଉଥିଲେ । ପ୍ରବଳ ବର୍ଷା ଓ ଅନ୍ଧାର ଯୋଗୁଁ ସେ ଭୁଲବଶତଃ ପରୀ ଚୌକରେ ଓହ୍ଲାଇଥିଲେ । ଏହି ସମୟରେ ଏକ ଖାଲି ସ୍ଲିପର ବସ୍ ଯାଉଥିବା ବେଳେ ଛାତ୍ରୀ ବସକୁ ଅଟକାଇବା ପାଇଁ ସଙ୍କେତ ଦେବା ପରେ ବସ୍ ଅଟକିଥିଲା । ଅଭିଯୋଗ ଅନୁସାରେ, ଡ୍ରାଇଭର ଓ କଣ୍ଡକ୍ଟର ତାଙ୍କୁ ସେକ୍ଟର-୬୩ ଯିବା କଥା କହି ବସରେ ବସାଇଥିଲେ । ପରେ ଚଳନ୍ତା ବସରେ ଏଭଳି କାଣ୍ଡ ଭିଆଇଥିଲେ ।ଘଟଣା ପରେ, ପୀଡିତା ଜଣକ କଶ୍ମୀର ଗେଟ ପୋଲିସକୁ ଖବର ଦେଇଥିଲେ। ପୋଲିସ ତାଙ୍କର ଡାକ୍ତରୀ ପରୀକ୍ଷା କରିଥିଲା ଏବଂ ତାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରିଥିଲା, ଯେଉଁଥିରେ ଗଣଦୁଷ୍କର୍ମ, ଅପହରଣ ଏବଂ ଆକ୍ରମଣର ଅଭିଯୋଗ ଆସିଥିଲା।

ଅଧିକ ପଢନ୍ତୁ