ନେପାଳରେ ପ୍ରଳୟଙ୍କରୀ ବନ୍ୟାର ପ୍ରଳୟ କମୁନି । ପାଣି ଶୁଖିଥିଲେ ବି ବଢିଚାଲିଛି ଦୁର୍ଦ୍ଦଶା । ଏହାସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।ଉଦ୍ଧାରକାର୍ଯ୍ୟ ଜୋରଦାର ଚାଲିଛି । ତେବେ ନୁବାକୋଟ ଜିଲ୍ଲାରେ ଉଦ୍ଧାରକାର୍ଯ୍ୟ ବେଳେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି ।ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏଜେନ୍ସି ନୁବାକୋଟ୍ ଜିଲ୍ଲାର ବେତ୍ରବନ୍ତୀରେ ରବିବାରଠୁ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ମୃତାହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରୁଛନ୍ତି । ତେବେ ବେତ୍ରବନ୍ତୀ ଅଞ୍ଚଳରେ ଗୋଟିଏ ଘରୁ ୨୩ଟି ମୃତଦେହ ଉଦ୍ଧାର ହୋଇଛି । ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ସମସ୍ତେ ତୀର୍ଥଯାତ୍ରୀ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।ମୃତଦେହ ପରିଚୟ ମିଳିନାହିଁ ।ନୁୱାକୋଟର ଏସପି ବିପିନ ରେମ୍ମି କହିଛନ୍ତି, ଗୋଟିଏ ରୁମରୁ ୨୧ଟି ମୃତଦେହ ମିଳିଥିବା ବେଳେ ବାହାରେ୨ଟି ମୃତଦେହ ମିଳିଛି । ମୃତଦେହ ସହିତ ଅନେକ ବ୍ୟାଗ ମିଳିଛି । ତେଣୁ ଏମାନେ ଗୋସାଇକୁଣ୍ଡ ଯାଉଥିବା ଯାତ୍ରୀ ହୋଇପାରନ୍ତି । ପାଣି ବଢିବା ଯୋଗୁଁ ଏମାନେ ଘରର ଛାତକୁ ଚାଲିଯାଇଥିଲେ । ଆଉ ଛାତ ଉପର ଘରେ ଏକ ରୁମରେ ଏମାନଙ୍କ ମୃତଦେହ ମିଳିଛି ।ସୂଚନା ମୁତାବକ, ଭାରତୀୟ ଏକ୍ସପର୍ଟ ଟିମ୍ ନେପାଳୀ ସେନା ସହିତ ମିଶି କଠିନ ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
