ଗଣେଶ ଭସାଣିକୁ ନେଇ କଡ଼ା ନିୟମ, ଶୋଭାଯାତ୍ରାରେ ୬ଟି ବକ୍ସ ଓ ୪ଟି ଟ୍ରଲିକୁ ଅନୁମିତି

ଆସନ୍ତା ୧୪ରୁ ଅନୁଷ୍ଠିତ ହେବାକୁ ଯାଉଛି ସହରରେ ଗଣେଶ ପୂଜା । ଏହି ପୂଜା ଓ ଭସାଣ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ କରିବା ପାଇଁ କଟକ କମିସନରେଟ ପୁଲିସ ଓ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାଙ୍କୁ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସହିଦଭବନରେ ଆୟୋଜିତ ବୈଠକରେ ଡିସିପି ଋଷିକେଶ ଖିଲାରୀ ଅଧ୍ୟକ୍ଷତା କରିଥିଲେ । ବିଭିନ୍ନ ପୂଜା କମିଟି, ଶାନ୍ତି କମିଟି ଏବଂ କ୍ଲବ୍ କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ଏହି ବୈଠକରେ ଚଳିତ ବର୍ଷ ଗଣେଶ ଭସାଣି ବା ବିସର୍ଜନ ଶୋଭାଯାତ୍ରା ବେଳେ ଡିଜେ ମ୍ୟୁଜିକ୍ ଏବଂ ଲେଜର ଲାଇଟ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି ।ସେହିପରି ମୂର୍ତ୍ତି ବିସର୍ଜନ ପାଇଁ ୪ଟି ରବିବାର ଅର୍ଥାତ୍ ସେପ୍ଟେମ୍ବର ୨୦ ଓ ୨୭ ଏବଂ ଅକ୍ଟୋବର ୪ ଓ ୧୧ ତାରିଖକୁ ଧାର୍ଯ୍ୟ କରାଯାଇଛି। ନିଷ୍ପତ୍ତି ମୁତାବକ, ପ୍ରତ୍ୟେକ ପୂଜା କମିଟି ଭସାଣି ଶୋଭାଯାତ୍ରାରେ ସର୍ବାଧିକ ୪ଟି ଟ୍ରଲି ସହିତ କେବଳ ୬ଟି ସାଉଣ୍ଡ ବକ୍ସ ବ୍ୟବହାର କରିପାରିବେ। ପୁଲିସ କମିସନର ଏସ୍‌. ଦେବଦତ୍ତ ସିଂହ ଯୋଗଦେଇ ପୂଜା ପାଇଁ ବେଆଇନ ତଥା ଜୋର୍‌ଜୁଲମ ଚାନ୍ଦା ଆଦାୟକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ । ସେହିପରି ବିକୃତ ମୂର୍ତ୍ତି ନ ଗଢ଼ିବାକୁ ପରାମର୍ଶ ଦେଇଛନ୍ତି । ତେବେ ଚଳିତ ବର୍ଷ ଗଣେଶ ପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭସାଣ ପାଇଁ ଆବଶ୍ୟକ ହେଉଥିବା ଅନୁମତିକୁ ସିଙ୍ଗଲ୍‌ ୱିଣ୍ଡୋ ସିଷ୍ଟମ୍‌ କରିବାକୁ ସିପି ପରାମର୍ଶ ଦେଇଛନ୍ତି । ତେବେ ଅଗ୍ନିଶମ ବିଭାଗଠାରୁ ଅନୁମତି ନେବାରେ କିଛି ସମୟ ଲାଗୁଛି । ତେଣୁ ଏହାକୁ ବାଦ୍‌ ଦେଇ ଅନ୍ୟ ସରକାରୀ ବିଭାଗ ଗୁଡ଼ିକ ଗୋଟିଏ ସ୍ଥାନରେ ବସି ଆବଶ୍ୟକୀୟ ଏନ୍‌ଓସି ପ୍ରଦାନ କରିବା ଦିଗରେ ଉଦ୍ୟମ କରାଯାଉ ବୋଲି ସିପି ଶ୍ରୀ ସିଂହ କହିଛନ୍ତି । ଏହି ବ୍ୟବସ୍ଥା ଲାଗୁ ହେବକି ନାହିଁ ତାହା ଚୂଡ଼ାନ୍ତ ହୋଇନି । ଏନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ହେବ। ତେବେ ଏହି ଉଚ୍ଚସ୍ତରୀୟ ବୈଠକରେ କଟକ ମହାନଗର ନିଗମ (ସିଏମସି) ମେୟର, କମିଶନର, ଚୌଦ୍ୱାର-କଟକ ବିଧାୟକ, ପୋଲିସ କମିଶନର, ଅତିରିକ୍ତ କମିଶନର, କଟକ ଡିସିପି, ସମସ୍ତ ଜୋନ୍‌ର ଏସିପି ଏବଂ ଥାନା ଅଧିକାରୀମାନେ ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ