ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି । ରିପବ୍ଲିକାନ୍ ପାର୍ଟିର ମଧ୍ୟବର୍ତ୍ତୀକାଳୀନ ସମ୍ମିଳନୀର ପ୍ରଥମ ରାତିରେ ସେ ଘୋଷଣା କରିଛନ୍ତି ଯେ ଯଦି ନଭେମ୍ବର ନିର୍ବାଚନରେ ହାଉସ୍ ଅଫ୍ ରିପ୍ରେଜେଣ୍ଟଟଟିଭ୍ସ ଏବଂ ସେନେଟ୍ ଉଭୟ ସଦନରେ ନିଜର ନିୟନ୍ତ୍ରଣ ବଜାୟ ରଖେ, ତେବେ ପ୍ରତ୍ୟେକ ବୟସ୍କ ଆମେରିକୀୟଙ୍କୁ ୫,୦୦୦ ଡଲାର ଲେଖାଏଁ ପ୍ରଦାନ କରାଯିବ । ଡାଲାସ୍ ସହରରେ ଆୟୋଜିତ ଏହି ସମ୍ମିଳନୀକୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ ଯଦି ରିପବ୍ଲିକାନମାନେ ବିଜୟୀ ହୁଅନ୍ତି, ତେବେ ଜନସାଧାରଣ ମଧ୍ୟ ଏହି ବିଜୟର ଅଂଶୀଦାର ହେବେ ଏବଂ ସେମାନଙ୍କୁ ‘ଟ୍ରମ୍ପ ଡିଭିଡେଣ୍ଡ’ ଭାବରେ ଏହି ଅର୍ଥ ମିଳିବ ।ତେବେ ଏହି ବିପୁଳ ଅର୍ଥ କେଉଁଠାରୁ ଆସିବ, କେଉଁମାନେ ଏହା ପାଇବେ ଏବଂ କିପରି ଟଙ୍କା ବଣ୍ଟନ ହେବ—ସେନେଇ ଟ୍ରମ୍ପ ସ୍ପଷ୍ଟ ଭାବେ କିଛି କହିନାହାନ୍ତି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସଂସଦୀୟ ଅନୁମୋଦନ ମଧ୍ୟ ଆବଶ୍ୟକ ହେବ।ଆମେରିକାରେ ପ୍ରାୟ ୨୬୯.୮ ନିୟୁତ ବୟସ୍କ ଥିବା ଆକଳନ ଅନୁଯାୟୀ, ପ୍ରତ୍ୟେକଙ୍କୁ ୫,୦୦୦ ଡଲାର ଦିଆଗଲେ ସରକାରଙ୍କୁ ପ୍ରାୟ ୧.୩୫ ଟ୍ରିଲିୟନ ଡଲାର ଖର୍ଚ୍ଚ କରିବାକୁ ପଡ଼ିପାରେ। ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୧୨୮.୨୫ ଲକ୍ଷ କୋଟି ଟଙ୍କା ସହ ସମାନ।
