ଲକ୍ଷ୍ନୌରୁ ସାଉଦି ଆରବର ଦମ୍ମାମ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ବିମାନ 6E 97 ବୋମା ଧମକ ପାଇବା ପରେ ଅହମ୍ମଦାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା। ବିମାନଟିରେ ୧୦୭ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟ ଥିଲେ। ଅବତରଣ ପରେ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଦିଆଯାଇଥିବା ବିମାନବନ୍ଦର ପୋଲିସ ସୂତ୍ରରୁ ଜଣାପଡ଼ିଛି।ଘଟଣା ପରେ ସ୍ଥାନୀୟ ପୋଲିସ ଓ CISF ଯବାନମାନେ ବିମାନରେ ତଲାସୀ ଆରମ୍ଭ କରିଛନ୍ତି। ବିମାନର ପ୍ରତ୍ୟେକ ଅଂଶକୁ ଯାଞ୍ଚ କରାଯାଉଥିବା ବେଳେ ଏପର୍ଯ୍ୟନ୍ତ କୌଣସି ବିସ୍ଫୋରକ କିମ୍ବା ସନ୍ଦେହଜନକ ବସ୍ତୁ ମିଳିନାହିଁ ବୋଲି ଅଧିକାରୀମାନେ କହିଛନ୍ତି।ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଧମକ ଦେଇଥିବା ବ୍ୟକ୍ତି ଓ ‘ବମ୍’ ଲେଖା କାଗଜଟି ବିମାନ ଭିତରକୁ କିପରି ଆସିଲା, ସେନେଇ ତଦନ୍ତ ଜାରି ରହିଛି।କିଛି ଦିନ ମଧ୍ୟରେ ଏହା ଅହମ୍ମଦାବାଦ ବିମାନବନ୍ଦରରେ ଦ୍ୱିତୀୟ ଘଟଣା। ପୂର୍ବରୁ, ଅଗଷ୍ଟ ୩୧, ୨୦୨୬ରେ, ଦମ୍ମାମରୁ ନୂଆଦିଲ୍ଲୀ ଯାଉଥିବା ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନକୁ ଅହମ୍ମଦାବାଦରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା। ବିମାନର ଶୌଚାଳୟରେ “BOMB” ଶବ୍ଦ ଲେଖାଥିବା ଏକ ଟିସୁ ପେପର ମିଳିଥିଲା।
